ଏବେ ଖାସ୍‌ ଆଦ୍‌ମୀଙ୍କ ସହ ଆମ୍‌ ଆଦ୍‌ମୀ, ବିଜେଡିରେ ମିଶିଲେ ଓଡ଼ିଶା ଆପ୍‌ର ନେତା ଓ କର୍ମୀ

ବିକଳ୍ପ ରାଜନୀତିର କଥା କହୁଥିବା ଅରବିନ୍ଦ କେଜରିୱାଲ୍‌ଙ୍କ ନେତୃତ୍ବାଧୀନ ଆମ୍‌ ଆଦ୍‌ମୀ ପାର୍ଟିର ଓଡ଼ିଶା ଶାଖାର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥିବା ନେତା ଓ କର୍ମୀମାନେ ବିଜୁ ଜନତା ଦଳରେ ସାମିଲ୍‌ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଆମ୍‍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ରାଜ୍ୟ ଯୁବ ସଭାପତି ସୁବ୍ରତ ଛାଟୋଇ, ରାଜ୍ୟ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସ ।

ଏମାନେ ୨୦୦ରୁ ଅଧିକ କର୍ମୀଙ୍କ ସହ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନେତାମାନଙ୍କୁ ସ୍ବାଗତ କରିଥିଲେ । ନବୀନ କହିଲେ, ଆମ୍‍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହା ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ।

ଏହି ଅବସରରେ ମୁଖପାତ୍ର ଶ୍ରୀ ଭରଦ୍ବାଜ ମିଶ୍ର, ନବୀନ ପଟ୍ଟନାୟକ ଓ ତାଙ୍କ ସରକାରର ଗୁଣଗାନ କରିଥିଲେ । କହିଥିଲେ ‘୨୦୧୯ ନିର୍ବାଚନରେ ବିଜେଡିର ଯେପରି ପୁଣି ବିଜୟ ହେବ ସେ ନେଇ ଆମ୍‍ ଆଦମୀ ପାର୍ଟିର ପ୍ରାୟ ୭୦ ହଜାର କର୍ମୀ ତୃଣମୂଳ ସ୍ତରରେ ସାହାଯ୍ୟ କରିବେ । ଏଥିସହିତ ଦଳ ଯେଉଁ ଦାୟିତ୍ୱ ନ୍ୟସ୍ତ କରିବ, ସେ ଦାୟିତ୍ୱ ତୁଲାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ’

ଆପ୍‌ରୁ ବିଜେଡିରେ ସାମିଲ୍‌ ହୋଇଥିବା ଅଜୟ ଦାସଙ୍କର ପ୍ରତ୍ୟକ୍ଷ ରାଜନୀତିରେ ଦୀର୍ଘ ବର୍ଷ ଧରି ସଂପୃକ୍ତି ରହିଛି । ହେମର୍‌ ଥ୍ରୋ’ରେ ପୂର୍ବରୁ ବହୁବାର ରାଜ୍ୟ ଚାମ୍ପିଅନ୍‌ ହୋଇଥିବା ଅଜୟ ଦାସ ପ୍ରଥମେ ୨୦୦୦ ମସିହାରେ ସ୍ବାଧୀନ ଭାବେ ବଲାଙ୍ଗୀର ବିଧାନସଭା ଆସନରେ ଲଢ଼ି ୧୧,୦୮୪ ଭୋଟ୍‌ ପାଇଥିଲେ ।

ପରେ ସେ ବିଜେପିରେ ଯୋଗଦେଇ କଣ୍ଟାବାଞ୍ଜି ବିଧାନସଭା ଆସନରୁ ୨୦୦୯ରେ ଦଳୀୟ ପ୍ରାର୍ଥୀଭାବେ ଲଢ଼ିଥିଲେ । ସେ ୧୬ ହଜାର ୧୧୭ ଭୋଟ୍‌ ପାଇ ସନ୍ତୋଷ ସିଂହ ସାଲୁଜା ଓ ଆୟୁବ୍‌ ଖାନ୍‌ଙ୍କ ପଛକୁ ତୃତୀୟ ସ୍ଥାନରେ ଥିଲେ । ତେବେ ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥିତ୍ବରୁ ବଂଚିତ ହେବା ଯୋଗୁଁ ସେ ଆମ୍‌ ଆଦ୍‌ମୀ ପାର୍ଟିରୁ ନିର୍ବାଚନ ଲଢ଼ି କଡ଼ା ଟକ୍କର ଦୋଇଥିଲେ ।

ଅଜୟ ଦାସ ୨୦,୦୩୩ ଭୋଟ୍‌ ପାଇଥିଲେ । ଗତଥର ଅଜୟ ଦାସଙ୍କୁ ବିଜେପି ଟିକେଟ୍ ଦେଇଥିଲେ କଣ୍ଟାବାଞ୍ଜିର ଫଳାଫଳ ଉପରେ ପ୍ରଭାବ ପଡ଼ିଥାନ୍ତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି । 2014ରେ ବିଜେପି ଲକ୍ଷ୍ମଣ ବାଗଙ୍କୁ କଣ୍ଟାବାଞ୍ଜିରୁ ଟିକେଟ୍‌ ଦେଇଥିଲା । ସେ ୩୦ ହଜାର ଭୋଟ୍‌ ସହ ତୃତୀୟ ସ୍ଥାନରେ ରହିଥିଲେ । ଅଜୟ ଦାସ ସେଠାରୁ ବିଜେଡିର ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

କିନ୍ତୁ ଦିଲ୍ଲୀ ତଥା ଓଡ଼ିଶାରେ ଦୁର୍ନୀତି ବିରୋଧୀ, ସ୍ବଚ୍ଛ ଓ ବିକଳ୍ପ ଶାସନର ନାରା ଦେଉଥିବା ଆମ୍‌ ଆଦ୍‌ମୀ ପାର୍ଟିର ଏହି ନେତାମାନେ ଏକାଥରକେ ବିଜେଡିରେ ସାମିଲ୍‌ ହେବା ଗୋଟିଏ ପଟେ ପ୍ରଶ୍ନ ଛିଡ଼ା କରିଥିବାବେଳେ ରାଜ୍ୟରେ ଆମ୍‌ ଆଦ୍‌ମୀ ପାର୍ଟିର ସ୍ଥିତି ମଧ୍ୟ ସଙ୍କଟରେ ପଡ଼ିଛି ।

Related Posts