ନୂଆଦିଲ୍ଲୀ: ଏସିଆନ କ୍ରିକେଟ କାଉନସିଲର ମୁଖ୍ୟ ମୋହସିନ ନକଭିଙ୍କ ପାଇଁ ଆଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଶେଷ ହୋଇଥିବା ଏସିଆ କପର ଫାଇନାଲ ମ୍ୟାଚରେ ଭାରତ ବିଜୟ ଲାଭ କରିଥିଲେ ମଧ୍ୟ ମୋହସିନଙ୍କ ଠାରୁ ଟ୍ରଫି ଗ୍ରହଣ କରିନଥିଲା। ଉଦ୍ଦେଶ୍ୟ ଥିଲା ପାକିସ୍ତାନୀଙ୍କ ହାତରୁ ଭାରତ ଟ୍ରଫି ଗ୍ରହଣ ନ କରିବା। ଭାରତ ଟ୍ରଫି ନଆଣିବା ପରେ ମୋହସିନ ଟ୍ରଫିକୁ ନେଇଯାଇଥିଲେ । ଯାହା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିସିସିଆଇ ଏନେଇ ନଭେମ୍ବରରେ ହେବାକୁ ଥିବା ICC ବୈଠକରେ ଏସୀୟ କ୍ରିକେଟ ପରିଷଦ ମୁଖ୍ୟ ମୋହସିନ ନକଭିଙ୍କ ବିରୁଦ୍ଧରେ “କଠୋର ପ୍ରତିବାଦ” କରିବେ।
ଭାରତୀୟ ଦଳ ଦୁବାଇରେ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ସେ ସେଠାରେ ପହଞ୍ଚି ଯାଇଥିଲେ। ବିସିସିଆଇ ସଚିବ ଦେବଜିତ ସାଇକିଆ ଦଳର ମନାକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ ଭାରତ ଦେଶ ବିରୁଦ୍ଧରେ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କଠାରୁ ଟ୍ରଫି ଗ୍ରହଣ କରିପାରିବ ନାହିଁ। ଦେବଜିତ ସାଇକିଆ ଆହୁରି କହିଛନ୍ତି, “ଏହା ଅପ୍ରତ୍ୟାଶିତ, ଅତ୍ୟନ୍ତ ପିଲାଳିଆମି ଏବଂ ନଭେମ୍ବର ପ୍ରଥମ ସପ୍ତାହରେ ଦୁବାଇରେ ହେବାକୁ ଥିବା ICC ବୈଠକରେ ଆମେ ICC ସହିତ ଏକ କଠୋର ପ୍ରତିବାଦ କରିବୁ।” ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଏବଂ ତାଙ୍କ ଦେଶର ଗୃହମନ୍ତ୍ରୀ ମଧ୍ୟ। ସାଇକିଆ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଅପରାଜିତ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।
ଆପଣଙ୍କୁ କହି ରଖୁଛୁ ଯେ ରବିବାର ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଯେଉଁଥିରେ ତିଲକ ବର୍ମା ୬୯ ରନର ଅପରାଜିତ ଇନିଂସ ଖେଳିଥିଲେ ଏବଂ ଫାଇନାଲ ମ୍ୟାଚର ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଥିଲେ।
ଏହି ସମୟରେ ମ୍ୟାଚ୍ ପରେ ପୁରସ୍କାର ବଣ୍ଟନ ଉତ୍ସବ ଆରମ୍ଭ ହେବା ପୂର୍ବରୁ ନକଭି ଗୋଟିଏ ପାର୍ଶ୍ୱକୁ ଠିଆ ହୋଇଥିଲେ। ଯେତେବେଳେ ଭାରତୀୟ ଖେଳାଳିମାନେ ୧୫ ୟାର୍ଡ ମଧ୍ୟରେ ଠିଆ ହୋଇଥିଲେ। ସେମାନେ ହଟିବାକୁ ମନା କରିଥିଲେ, ଯାହା ଫଳରେ ସମାରୋହ ବିଳମ୍ବିତ ହୋଇଥିଲା।
ବିଜେତାଙ୍କୁ ଟ୍ରଫି କିଏ ପ୍ରଦାନ କରିବ ବୋଲି ଭାରତର ପରିଚାଳନା କମିଟି ପ୍ରଶ୍ନ କରିଥଇଲେ। ଏହାକୁ ନେଇ ଏସିସି ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। କାରଣ ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ପସନ୍ଦ କରିବ ନାହିଁ। ନକଭି ମଞ୍ଚ ଉପରକୁ ଉଠିବା ମାତ୍ରେ, ଦର୍ଶକଙ୍କ ମଧ୍ୟରେ ଥିବା ଭାରତୀୟ ପ୍ରଶଂସକମାନେ “ଭାରତ ମାତା କି ଜୟ” ନାରା ଦେବା ଆରମ୍ଭ କରିଥିଲେ। ନକଭି ମଞ୍ଚ ଉପରକୁ ଆସିବା ମାତ୍ରେ ତାଙ୍କୁ କୁହାଯାଇଥିଲା ଯେ ଭାରତୀୟ ଦଳ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ଏବଂ ଏହାକୁ ଜୋର ଜବରଦସ୍ତ କରିବାର ଯେକୌଣସି ପ୍ରୟାସର ଫଳସ୍ୱରୂପ ଏକ ଆନୁଷ୍ଠାନିକ ପ୍ରତିବାଦ କରାଯିବ। ନକଭି ଅପେକ୍ଷା କରିଥିବା ବେଳେ ହଠାତ୍ ଆୟୋଜକଙ୍କ ମଧ୍ୟରୁ କେହି ଜଣେ ଟ୍ରଫିକୁ ଡ୍ରେସିଂ ରୁମକୁ ନେଇଯାଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।





