ଉତ୍ତରପ୍ରଦେଶ ମୁରାଦାବାଦରେ ଅଘଟଣ: ପାଞ୍ଚ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୫ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରାଦାବାଦରେ ଘଟିଛି ଏକ ଅଘଟଣ । ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୩ଟି ଛୋଟ ପିଲାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଓ ପୋଲିସ କର୍ମୀ ସ୍ଥାନୀୟ ଲୋକଙ୍କ ସହାୟତାରେ ୭ ଜଣଙ୍କୁ ନିଆଁ ଭିତରୁ ଜୀବିତ ଉଦ୍ଧାର କରିଛନ୍ତି ।

ସର୍ଟସର୍କିଟ ଯୋଗୁଁ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଏହି ଘରଟି ଅମରୁଦ୍ଦିନୀ ନାମକ ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ହୋଇଥିବାବେଳେ ନିଆଁରେ ପୋଡି ହୋଇ ବ୍ୟବସାୟୀଙ୍କ ପତ୍ନୀ, ବୋହୂ, ଦୁଇ ନାତି ନାତୁଣୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତବାକ, ଗୁରୁବାର ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି । ଘରର ତିନି ମହଲାରରେ ନିଆଁ ଲାଗିଥିଲା । ଏହି ମହଲାରେ ଅମରୁଦ୍ଦିନୀଙ୍କ ପରିବାର ଲୋକେ ରହୁଥିଲେ । ଘରଟି ହୁ ହୁ ଜଳିବା ଦେଖି ଆଖପାଖ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ଏନେଇ ପୋଲିସ ଓ ଦମକଳ ବାହିନୀ ସୂଚନା ପାଇବା ମାତ୍ରେ ସେଠାରେ ତୁରନ୍ତ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବିଲ୍ଡିଂରେ କେତେ ଲୋକ ଫସିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି ।ବିଲ୍ଡିଂରେ କେମିତି ନିଆଁ ଲାଗିଲା ତାହା ଏ ଯାଏଁ ଯଦିଓ ସ୍ପଷ୍ଟ ହୋଇନାହିଁ, ତଥାପି ବିଦ୍ୟୁତ୍‌ ତାରରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ବହୁ ଅଧିକାରୀ ପହଞ୍ଚିଛନ୍ତି ।

Related Posts