ନାଗାବଳୀ ନଦୀରେ ଭାସିଗଲା ପୁଅ, ବଞ୍ଚାଇବା ପାଇଁ ପ୍ରଖର ସ୍ରୋତକୁ ଡେଇଁଲେ ବାପା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ଝୁଲାପୋଲ ନିକଟ ନାଗାବଳୀ ନଦୀରେ ଗୁରୁବାର ଦିନ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଇବା ସମୟରେ ବାପାଙ୍କ ସାମ୍ନାରେ ୬ ବର୍ଷର ପୁଅ ଭାସିଯାଇଛି। ଏହାପରେ କିଛି ଉପାୟ ନପାଇ ପୁଅକୁ ବଞ୍ଚାଇବା ପାଇଁ ବାପା ନଦୀକୁ ଡେଇଁ ପଡ଼ିଥିଲେ । ମାତ୍ର ନଦୀ ପାଣିର ସ୍ରୋତ ପ୍ରଖର ଥିବାରୁ ଉଭୟଙ୍କୁ ଭସାଇ ନେଇଥିଲା। ପ୍ରାୟ ଗୋଟିଏ କିଲୋମିଟର ଭାସିଭାସି ଯିବାପ‌ରେ ବାପା ଗୋଟିଏ ପଥର ଟାପୁରେ ଲାଗିଥିବା ବେଳେ ପୁଅ ନିଖୋଜ ହୋଇଯାଇଛି।ତେବେ ପ୍ରାୟ ଗୋଟିଏ ଘଣ୍ଟାର ଉଦ୍ୟମ ପରେ ରାୟଗଡ଼ା ଅଗ୍ନିଶମ ବିଭାଗ ଟାପୁରେ ଫସିଥିବା ବାପାକୁ ଉଦ୍ଧାର କରିଛି।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଏ. ଗୋପାଳକ୍ରିଷ୍ଣା ରାଓ ନିଜ ପରିବାର ସହ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ତେବେ ମା ଙ୍କ ନିକଟରେ ମାନସିକ ଥିବାରୁ ୩ ପୁଅଙ୍କୁ ମୁଣ୍ଡନ କରିବା ପରେ ମା’ଙ୍କ ଦର୍ଶନ କରିଥିଲେ ଗୋପାଳକ୍ରିଷ୍ଣା। ଏହାପରେ ମନ୍ଦିର ପରିସରରେ ଭୋଗ ଖାଇବାପରେ ସମସ୍ତେ ଝୁଲାପୋଲ ବୁଲିବାକୁ ଯାଇଥିଲେ। ଝୁଲାପୋଲରେ କିଛି ସମୟ ବିତାଇବା ପରେ ଗାଧୋଇବା ପାଇଁ ଅସୁରକ୍ଷିତ ନାଗାବଳୀ କୂଳକୁ ଯାଇଥିଲେ। ୩ ପୁଅ ନଦୀ ଭିତରକୁ ଯାଇ ସ୍ନାନ କରୁଥିବା ସମୟରେ ଗୋପାଳକ୍ରିଷ୍ଣାଙ୍କ ସାନ ପୁଅ ଏ. ଅମରେଶ ରାଓ ନଦୀ ଭିତରକୁ ଟାଣି ହୋଇଯାଇଥିଲେ। ଅମରେଶକୁ ବଞ୍ଚାଇବା ପାଇଁ ଦୁଇଭାଇ ଚେଷ୍ଟା କରୁଥିବା ସମୟରେ ସମସ୍ତେ ନଦୀ ଭିତରକୁ ଚାଲି ଯାଇଥିଲେ। ପିଲାଙ୍କ ଚତ୍କାର ଶୁଣି ନଦୀକୂଳରେ ଥିବା ବାପା ଗୋପାଳକ୍ରିଷ୍ଣା ନଦୀ ଭିତରକୁ ଡେଇଁ ୨ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ସାନ ପୁଅ ଅମରେଶକୁ ବଞ୍ଚାଇ ପାରିନଥିଲେ। ନଦୀର ସ୍ରୋତ ପ୍ରଖର ଥିବାରୁ ପାଖାପାଖି ଗୋଟିଏ କିମି ପର୍ଯ୍ୟନ୍ତ ଭାସି ଯାଇଥିବା ଗୋପାଳକ୍ରିଷ୍ଣା ସାନ ପୁଅ ଅମରେଶକୁ ଉଦ୍ଧାର କରିବାକୁ ବହୁ ସଂଘର୍ଷ କରିଥିଲେ। ତେବେ ନଦୀର ଗତିପଥ ପଥୁରିଆ ହୋଇଥିବାରୁ ସେ ବିଭିନ୍ନ ସ୍ଥାନରେ ପଥରରେ ପିଟି ହୋଇଥିଲେ। ତଥାପି ସାହସ ନ ହାରି ବହୁ ଖୋଜାଖୋଜି କରିଥିଲେ। ଶେଷରେ, ନଦୀଗର୍ଭରେ ଥିବା ଗୋଟିଏ ପଥର ଟାପୁରେ ଗୋପାଳକ୍ରିଷ୍ଣା ଲାଖି ରହିଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୋପାଳକ୍ରିଷ୍ଣାଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଗୋଟିଏ ଘଣ୍ଟାର ଉଦ୍ୟମ ପରେ ଗୋପାଳକ୍ରିଷ୍ଣାଙ୍କୁ ନାଗାବଳୀ ନଦୀ ଗର୍ଭରୁ ଉଦ୍ଧାର କରାଯାଇଥିଲା।

Related Posts