ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା: ଅଟୋକୁ ପିଟିଲା ଟ୍ରକ୍‌: ୨ ମୃତ, ୩ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଟ୍ରକ୍ ଏକ ଅଟୋକୁ ଧକ୍କା ଦେଇଛି । ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଆଜ ବୋଝେଇ ଟ୍ରକ୍‌ଟି ମଧ୍ୟ ଓଲୋଟି ପଡ଼ିଛି।

ଅଟୋଟି ମହୀଧରପୁରରୁ ଦୁର୍ଗାପୁର ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତାହତମାନେ ଜରପଡ଼ା ଓ ଦୁର୍ଗାପୁର ଅଞ୍ଚଳର।

ମହୀଧରପୁର ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ସେମାନେ ସେଠାକୁ ଯାଇଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୫ ଜଣ ଥିଲେ। ଅଟୋ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ୩ ଆହତଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜରପଡ଼ା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

Related Posts