ବିଲକିସ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୁକ୍ତ କରିବା ଘଟଣା; ଗୁଜରାଟ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଜେଲରୁ ମୁକ୍ତ କରାଯିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ସେମାନଙ୍କ ଖଲାସ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହାର ଶୁଣାଣି କରି ଆଜି ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି। ନୋଟିସ୍ ରେ କେଉଁ କାରଣ ପାଇଁ ସେମାନଙ୍କୁ ଛଡ଼ା ଯାଇଥିଲା?ଜେଲରୁ ଖଲାସ କରାଯିବା ବେଳେ ସମସ୍ତ ଗାଇଡଲାଇନକୁ ପାଳନ କରାଯାଇ ଥିଲା କି ନାହିଁ, ସେକଥା ଜଣାଇବା ପାଇଁ ସୁପ୍ରିମକୋର୍ଟ ଚାହିଁଛନ୍ତି। ଏଥିପାଇଁ ଆଜି ଗୁଜରାଟ ସରକାରଙ୍କୁ ନୋଟିସ କରାଯାଇଛି।

ଏବେ ଗୁଜରାଟ ସରକାର ପୂରା ଘଟଣା ଉପରେ ନିଜର ମତ ସୁପ୍ରିମକୋର୍ଟରେ ରଖିବେ। ସରକାର ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗୁଜରାଟ ସରକାରଙ୍କୁ ନୋଟିସ କରିବା ସମୟରେ ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ କ୍ଷମାନୀତି ବଳରେ ଖଲାସ ହୋଇଥିବା ଦୁଷ୍କର୍ମକାରୀଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ କହିଛନ୍ତି।

ସୂଚନା ଅନୁସାରେ, ସ୍ୱତନ୍ତ୍ର କ୍ଷମା ନୀତି ବଳରେ ଗୁଜରାଟ ସରକାର ବିଲକିସ ବାନୋଙ୍କୁ ଦୁଷ୍କର୍ମ କରିବା ଓ ପରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ୧୧ ଜଣ ଦୋଷୀଙ୍କୁ ସ୍ୱାଧୀନତା ଦିବସରେ ଖଲାସ କରିଥିଲେ। ଏହାପରେ ଏହି ଘଟଣାକୁ ଚାରିଆଡ଼େ ନିନ୍ଦା କରାଯାଇଥିଲା।

Related Posts