ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ଗୋଟିଏ ପ୍ରଜାତିର, ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି ପାଇଁ ସଂଘ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ: ଦିଗବିଜୟ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ଗୋଟିଏ ପ୍ରଜାତିର। ଯଦି ପିଏଫ୍‌ଆଇ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ଆର୍‌ଏସ୍‌ଏସ୍‌ ଉପରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏଫ୍‌ଆଇ ଉପରେ ହେଉଥିବା ଚଢ଼ାଉକୁ ନେଇ ପ୍ରତିକ୍ରିୟା ଦେଇ ଦିଗବିଜୟ ଏପରି କହିଛନ୍ତି । ସେ କହିଛନ୍ତି ଯେ, ‘ଯେଉଁମାନେ ହିଂସା ସୃଷ୍ଟି କରୁଛନ୍ତି, ଧାର୍ମିକ ଉନ୍ମାଦନା ସୃଷ୍ଟି କରୁଛନ୍ତି। ସେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ପିଏଫ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ସଂଘ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ବିଶ୍ୱ ହିନ୍ଦୁ ପରିଷଦର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି? ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।’

ଦିଗବିଜୟଙ୍କର ଏଭଳି ତୁଳନାକୁ ଦେଖି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ କଣ ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ସମାନ ? ଏହାର ଉତ୍ତରରେ ଶ୍ରୀ ସିଂହ କହିଥିଲେ ଯେ, ‘ନିଶ୍ଚିତ ରୁପେ ସମାନ। ଯିଏ ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି କରେ ସେମାନେ ସବୁ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ। ଜଣେ ଜଣଙ୍କର ପୂରକ।’

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ବର୍ତ୍ତମାନ ଦେଶରେ ୧୫ଟି ରାଜ୍ୟରେ ପିଏଫ୍‌ଆଇ ସଂଗଠନ ଉପରେ ଚଢ଼ାଉ କରାଯାଇଛି। ସେପ୍ଟେମ୍ବର ୨୨ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଓ ଇଡି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଥିବା ପିଏଫ୍‌ଆଇ ସଂଗଠନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲା। ଏଥିରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସଦସ୍ୟକଙ୍କୁ ଗିରଫ କରାଯାଇଛି। ପିଏଫ୍‌ଆଇ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବାକୁ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା। ଚଢ଼ାଉ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ, ଏନ୍ଆଇଏ, ଇଡି ଓ ଗୁଇନ୍ଦା ସଂସ୍ଥା ବୈଠକ କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧିଙ୍କୁ ଧରିବା ପାଇଁ ରାତିରେ ହିଁ ‘ଅପରେସନ ମିଡ୍‌ନାଇଟ୍‌’ ଆରମ୍ଭ ହୋଇଥିଲା। ସଦସ୍ୟମାନେ ଯେମିତି ହଙ୍ଗାମା ନ କରିବେ ସେଥିପାଇଁ ଅପରେସନକୁ ରାତିରେ ହିଁ କରାଯାଉଥିଲା। ଅଧ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଏଥିପାଇଁ ୬ କଣ୍ଟ୍ରୋଲ ରୁମ କରାଯାଇଥିଲା। ଗୃହମନ୍ତ୍ରାଳୟ ପୂରା ଅପରେସନକୁ ପରିଚାଳନା କରୁଥିଲା। ତେବେ ଏହି ଚଢାଉ ପରେ କେରଳରେ ପିଏଫ୍‌ଆଇ କର୍ମୀ ମାନେ ଧର୍ମଘଟ ଡକରା ଦେଇଥିଲେ। ଏହି ସମୟରେ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

Related Posts