କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପୁଣି‌ ଟୁଇଷ୍ଟ; ନିର୍ବାଚନ ଲଢ଼ିବେ ନାହିଁ ଦିଗବିଜୟ ସିଂ, ଖଡଗେଙ୍କ ପାଇଁ ରହିବେ ପ୍ରସ୍ତାବକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ଏବେ ଦଳ ମଧ୍ୟରେ ଘଡିକେ ଘୋଡ଼ା ଛୁଟୁଛି। ଗତକାଲି ଖୋଲାଖୋଲି ଅଧ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ଆଜି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗତକାଲି ସେ ନାମାଙ୍କନ ପତ୍ର ମଧ୍ୟ ସଂଗ୍ରହ କରିଥିଲେ। ତେବେ ଏନେଇ ଆଜି ପ୍ରତିକ୍ରିୟା ଦେଇ ଦିଗବିଜୟ କହିଛନ୍ତି ଯେ, ମୁଁ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବି ନାହିଁ। ଏହା ସହିତ ସେ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ପ୍ରସ୍ତାବକ ରହିବେ ବୋଲି କହିଛନ୍ତି। ତେବେ ସେ ଆଜି ଦଳର ଅନ୍ୟତମ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପରେ ଏହା ଘୋଷଣା କରିଛନ୍ତି । ସେପଟେ ଆଜି ମଲ୍ଲିକାର୍ଜୁନ ଖଡଗେ ନାମାଙ୍କନ ଭରି ପାରନ୍ତି ବୋଲି ସୂଚନା ରହିଛି ।

ଅନ୍ୟପଟେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପରେ ପ୍ରମୋଦ ତିୱାରୀ କହିଛନ୍ତି ଯେ, ଖଡଗେ ଆଜି ୧୨.୩୦ ରେ ନାମାଙ୍କନ ଭରି ପାରନ୍ତି । ଖଡଗେ ଜଣେ ଦଳିତ ନେତା ସହ ୯ ଥର ବିଧାୟକ ରହିଛନ୍ତି । ଏହାସହ ସେ ଅନେକ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏଣୁ ଖଡଗେ ନିର୍ବାଚନ ଲଢନ୍ତୁ ବୋଲି ପ୍ରମୋଦ ତିୱାରୀ ତାଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଏହା ପୂର୍ବରୁ ସୂଚନା ରହିଥିଲା ଯେ ଦିଗବିଜୟ ସିଂ ଅଧ୍ୟକ୍ଷପଦ ପାଇଁ ନାମାଙ୍କନ ଭରିବାକୁ ଯାଉଛନ୍ତି । ଏହାସହ ଗୁରୁବାର ଦିନ ସେ ଦଳୀୟ କାର୍ଯ୍ୟାଳୟ,ରୁ ନାମାଙ୍କନ ପତ୍ର ମଧ୍ୟ ନେଇଥିଲେ । ଦଳର ଭାରତ ଯୋଡ ଯାତ୍ରା ଛାଡି ବୁଧବାର ମଧ୍ୟରାତ୍ରରେ ସେ ଦିଲ୍ଲୀ ପହଂଚିଥିଲେ । ଏହାପରେ ସେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟି ତାଙ୍କ ସହ ପ୍ରାୟ ଦେଢଘଂଟା ଆଲୋଚନା କରିଥିଲେ । ସେପଟେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଏବେ ସବୁଠାରୁ ଆଗରେ ରହିଛି । ଆଜି ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ହୋଇଥିବାରୁ ଏହି ଦୁଇଜଣ ନେତା ଆଜି ନାମାଙ୍କନ ଦାଖଲ କରିବା ନେଇ ସୂଚନା ମିଳିଛି।

Related Posts