ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ମୌସୁମୀ: ଆସନ୍ତା ୫ ଦିନ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଲଘୁଚାପ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଛତିଶଗଡ଼ ଆଡକୁ ଗତି କରୁଛି । ଯାହାଫଳରେ ଲାଗି ରହିଛି ବର୍ଷା । ଆସନ୍ତା ୫ ଦିନ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ । ତେବେ ଲଘୁଚାପ ପ୍ରଭାବରେ ସୋମବାର ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଏଥିିପାଇଁ ଆସନ୍ତା ୫ ଦିନ ଉପକୂଳ ଓଡ଼ିଶାରେ ବର୍ଷା ହେବ । କିନ୍ତୁ ଦକ୍ଷିଣରେ କମ୍‌ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମରୁ ଭାରୀ ବର୍ଷା ହେବାର ସମ୍ଭାବନା ଅଛି । ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

୧୩ରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୪ରେ ଉପକୂଳରେ ବର୍ଷା ବଢ଼ିବ । ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୧୫ରେ ଆଭ୍ୟନ୍ତରୀଣ, ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ଡ.ପଶୁପାଳକ କହିଛନ୍ତି ।

ଆସନ୍ତା ୭୨ ଘଣ୍ଟା ଭିତରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬୦ରୁ ୧୦୦ମିମି ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରରେ ୪୦ରୁ ୬୦ମିମି, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରରେ ମୋଟ ୨୦ ମିମି ବର୍ଷା ହୋଇପାରେ । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଲଘୁଚାପକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଆକଳନ କରୁଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ମୌସୁମୀ ସକ୍ରିୟ ହେବା ଯୋଗୁ ଗତ ୨୪ ଘଣ୍ଟାରେ ସ୍ୱାଭାବିକଠାରୁ ୨୭୦% ଅଧିକ ବର୍ଷା ହୋଇଛି । ୧୨ ଓ ୧୩ ତାରିଖରେ ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବ । ୧୨ରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ତାରିଖ ଯାଏ ରାଜ୍ୟରେ ସମୁଦ୍ର ଅଶାନ୍ତ ରହିବ । ତୁହାକୁ ତୁହା ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀ ଜଳକା ମାଥାନି ରାସ୍ତା ବ୍ରିଜ୍‌ରେ ବିପଦ ସଙ୍କେତ ସ୍ତର ପାର୍‌ କରିଛି ।

ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୧୫୪ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରରେ ୧୪୨.୮, କୋରାପୁଟ ଜିଲ୍ଲା କୋଟପାଡରେ ୧୦୬, ବାଲେଶ୍ୱରରେ ୧୦୧, କଟକ ବାଙ୍କିରେ ୯୮, ମୟୂରଭଞ୍ଜ ବାଲିମୁଣ୍ଡଳିରେ ୯୪ମିମି ବର୍ଷା ହୋଇଛି । ରବିବାର ସକାଳୁ ସନ୍ଧ୍ୟା ଭିତରେ ବଲାଙ୍ଗିରରେ ସର୍ବାଧିକ ୫୮.୪ମିମି ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୬.୯, ପାରାଦୀପରେ ୨୮.୩, ଭୁବନେଶ୍ୱରରେ ୨୫.୪, ମାଲକାନଗିରିରେ ୧୮.୨, ତାଳଚେରରେ ୧୮ ଓ ଦାରିଙ୍ଗିବାଡିରେ ୧୬ମିମି ବର୍ଷା ହୋଇଛି ।

ଦକ୍ଷିଣ ଓଡ଼ିଶାରେ କମ୍‌ ବର୍ଷା ଥିବାରୁ ପାଗ ଦେଖି ଧାନରେ ସାର ପ୍ରୟୋଗ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ବିଲରେ ପାଣି ବାନ୍ଧି ରଖନ୍ତୁ । ରାଶି, ମାଣ୍ଡିଆ, ମୁଗ, ବିରି, ଅଳସୀ, କନ୍ଦମୂଳ ଭଳି ପ୍ରାକ୍‌ ରବି ଫସଲ ଲଗାନ୍ତୁ । ଉଚ୍ଚା ଜମିରେ ଶୀତଦିନିଆ ପନିପରିବାର ତଳି ପକାନ୍ତୁ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ଯୋଗୁ ଧାନରେ ସାର ପ୍ରୟୋଗ କରିବାରେ ସମସ୍ୟା ହେବ । ମାଟିରେ ୟୁରିଆ ମିଶାଇ ଛୋଟ ବଲ କରି ବିଲରେ ପକାନ୍ତୁ । ୪୮ ଘଣ୍ଟା ପର୍ଯ୍ୟନ୍ତ ପାଣି ବାନ୍ଧି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

Related Posts