ସୁଶାନ୍ତ ସିଂହଙ୍କ ଦମ୍ଭୋକ୍ତି; ୨୦୨୪ରେ ୧୨୫ ଆସନ ଜିତିବ ବିଜେଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିପୁଳ ବିଜୟ ପରେ ବିଜୁ ଜନତା ଦଳ ମଧ୍ୟରେ ଏବେ ଭରପୁର ଆତ୍ମବିଶ୍ୱାସ ଦେଖିବାକୁ ମିଳିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଥିବାବେଳେ ଏହାର ଫଳ ଦଳର କର୍ମୀ ଠୁ ନେଇ ନେତା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭାରି ଦେଇଛି । ତେବେ ଏହାରି ଭିତରେ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ଦଳର ଅନୁଭବୀ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ରେ ବିଜେଡିର ମିଶନ ୧୨୫ ଆସନ। ୧୪୭ରୁ ୧୨୫ଟି ଆସନରେ ବିଜେଡି ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। କେବଳ ପଶ୍ଚିମ ଓଡ଼ିଶାର ୩୬ ଆସନରୁ ୩୦ରୁ ଉର୍ଦ୍ଧ୍ବ ଆସନରେ ବିଜେଡି ଜିତିବ।

ଭଟଲି ବିଧାୟକ ଆହୁରି କହିଛନ୍ତି ଯେ, ୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ଆମେ ତାଙ୍କୁ ଅନୁରୋଧ କରିବୁ। ପଦ୍ମପୁରରେ ପ୍ରତିଶୁତି ପାଳନ ପାଇଁ ଆଗାମୀ ବର୍ଷ ଜାନୁୟାରି ମାସରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପଦ୍ମପୁରରେ ବିଜେଡିର ଚମକ ବଜାୟ ରହିଛି। ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍‌ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍‌ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟ୍‌ରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍‌ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍‌ ପଡ଼ିଛି। ଏହି ଫଳାଫଳ ବି ଶାସକ ବିଜେଡିକୁ ଉତ୍ସାହିତ କରିଛି। ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍‌ ପାଇନାହିଁ, ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍‌ ହାସଲ କରିଛନ୍ତି।

ଏଣେ ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହାପରେ ଅବଶ୍ୟ ସେହି ଆସନଟି ଛାଡ଼ି ଦେଇଥିଲେ ନବୀନ। ଏଠାରୁ ଉପନିର୍ବାଚନରେ ବିଜୟୀ ହୋଇ ରୀତା ସାହୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥି‌ଲେ।

Related Posts