ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

 

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ):  ବିଜେଡିରେ ମିଶିଲେ ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେଲେ ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ତେବେ ଅନେକ ସମୟରେ ବର୍ଷା ବିଜେଡି ପାଇଁ  ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରିଥିବା ଦେଖିବାକୁ ଲିଲିଛି । ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ ।

ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ବିଜେଡିରେ ଯୋଗଦେବା ପରେ ବର୍ଷା କହିଛନ୍ତି ଯେ, ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କର ଫ୍ୟାନ। ଫିଲ୍ମ ନିମିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କରିଥିଲି । ଆମ ମୁଖ୍ୟମନ୍ତ୍ରୀ କଥା କମ୍‌ କୁହନ୍ତି, କାମ ବେଶୀ କରନ୍ତି । ତାଙ୍କର ସରଳ ଭାବାମୂର୍ତ୍ତି ସମସ୍ତଙ୍କ ପାଇଁ ଆଦର୍ଶ । ତାଙ୍କର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲି । ମତେ ବିଜେଡିରେ ସ୍ବାଗତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅଗଷ୍ଟ ୭ ତାରିଖରେ ବର୍ଷାଙ୍କ ଜନ୍ମ । ଜଣେ ଶିଶୁ କଳାକାର ଭାବେ ଓଲିଉଡ୍ରେ ଏଣ୍ଟ୍ରି ମାରିଥିଲେ ବର୍ଷା । ପରେ ପରେ ନିଜର ନିଖୁଣ ଅଭିନୟ ପାଇଁ ଆଗଧାଡିରେ ନାୟିକା ଭାବେ ବେଶ୍ ପରିଚିତ ହୋଇଥିଲେ । ଓଲିଉଡ୍ ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପରେ ଓଲିଉଡ୍ର ଷ୍ଟାର ନାୟକ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିନଥିଲା । ଏମିତିକି ଉଭୟଙ୍କ ପାରିବାରିକ ବିବାଦ କୋର୍ଟରେ ପହଞ୍ଚିଥିଲା । ଉଭୟଙ୍କ ଛାଡପତ୍ର ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି ।

Related Posts