ଓଡ଼ିଶାରୁ ଗଲା, ଆନ୍ଧ୍ରରେ ତାଣ୍ଡବ

ଆନ୍ଧ୍ରରେ ‘ତିତ୍‌ଲି’ର ବିନାଶଲୀଳା

‘ତିତ୍‌ଲି’ ଓଡ଼ିଶାରେ ହେଲା ପ୍ରଜାପତି, କିନ୍ତୁ ଆନ୍ଧ୍ରରେ ପାଲଟିଲା ଶାଗୁଣା । ସାମୁଦ୍ରିକ ଝଡ଼ ତିତ୍‌ଲି ଓଡ଼ିଶାରେ ପୂର୍ବାନୁମାନ ମୁତାବକ କ୍ଷୟକ୍ଷତି କଲାନାହିଁ । ପବନ ହେଉ କି ବର୍ଷା ସବୁର ମାତ୍ରା ଆଶାଠାରୁ କମ୍‌ ରହିଲା । କିନ୍ତୁ ପଲାସା ନିକଟରେ ସ୍ଥଳଭାଗ ଛୁଇଁବା ପରେ ‘ତିତ୍‌ଲି’ ଆନ୍ଧ୍ରରେ କରିଛି ବ୍ୟାପକ କ୍ଷୟକ୍ଷତି । ଉତ୍ତର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଜୟନଗରମ୍‌ ଜିଲ୍ଲାରେ ବିନାଶଲୀଳା କରିଛି ‘ତିତ୍‌ଲି’ । ୮ ଜଣଙ୍କର ଜୀବନ ନେଇଛି । ଅନେକ ସ୍ଥାନରେ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଚାଷ ବି କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଜୋର୍ ଦେଇଛନ୍ତି ନାଇଡୁ । ପ୍ରଭାବିତ ଅଞ୍ଚଳକୁ ଏନଡିଆରଏଫ୍ ଟିମ ପଠାଯାଇଛି । ଏଣେ ତିତ୍‌ଲି ଦୁର୍ବଳ ହେବା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା ।

 

ଆନ୍ଧ୍ର ଶ୍ରୀକାକୁଲମ ଓ ବିଜୟନଗରମ୍‌ ଜିଲ୍ଲାରେ ବିନାଶଲୀଳା
‘ତିତ୍‌ଲି’ ପ୍ରଭାବରେ ବିଶାଖାପାଟଣାରେ ପବନ ଓ ବର୍ଷାର ତାଣ୍ଡବ
ଆନ୍ଧ୍ରରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

 

ଶ୍ରୀକାକୁଲମ ଜିଲ୍ଲା ପଲାସା ନିକଟରେ ଗୁରୁବାର ସକାଳ ପ୍ରାୟ ସାଢ଼େ 5ଟାରେ ଲ୍ୟାଣ୍ଡ ଫଲ୍‌ ହୋଇଥିଲା ତିତ୍‌ଲି । ଘଣ୍ଟାପ୍ରତି 140 କିଲୋମିଟରରୁ ଅଧିକ ବେଗରେ ପବନ ବୋହିଲା, ହେଲା ପ୍ରବଳ ବୃଷ୍ଟିପାତ । ଫଳରେ ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ରାସ୍ତାରେ ଉପୁଡ଼ି ପଡ଼ିଛି, ବିଦ୍ୟୁତ୍‌ ଓ ଟେଲିଫୋନ୍‌ ଖୁଣ୍ଟ ଭାଙ୍ଗିଯାଇଛି । ଯାହା ଫଳରେ ରାସ୍ତା ଅବରୋଧ ହୋଇଛି । ବିଦ୍ୟୁତ ଯୋଗାଣ ଓ ଫୋନ୍‌ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଶ୍ରୀକାକୁଲମ, ପଲାସା ଆଦି ଅଞ୍ଚଳର ଗାଁ ଗୁଡ଼ିକରେ ଚାଳ ଘର ସବୁର ଛପର ଉଡ଼ିଯାଇଛି । ତିତ୍‌ଲି ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଶ୍ରୀକକାକୁଲମ, ବିଜୟନଗରମ ଓ ବିଶାଖାପାଟଣାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଶ୍ରୀକାକୁଲମର ଉଦାନମ ଅଞ୍ଚଳର 7ଟି ମଣ୍ଡଳ ତିତ୍‌ଲି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କାଜୁ ଓ ନଡିଆ ଚାଷ ନଷ୍ଟ ହୋଇଛି । ଏଥିସହ ପଲାସା ପୌରପାଳିକାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ତିତ୍‌ଲି । ପଲାସା ଷ୍ଟେସନରେ କ୍ଷତିଗ୍ରସ୍ତ ହୋଇଛି ।ବିଭିନ୍ନ ସ୍ଥାନରେ ରେଲୱେ ଟ୍ରାକ୍‌ରେ ଗଛ ପଡ଼ିଛି । ପ୍ରବଳ ବର୍ଷାରେ ରାସ୍ତା ଧୋଇ ହୋଇଯାଇଥିବାରୁ ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ଉପକୂଳ ଗାଁଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଶ୍ରୀକାକୁଲମ ଅଭିମୁଖେ ଯିବାକୁ ଥିବା ଟ୍ରେନଗୁଡିକ ବାତିଲ କରାଯାଇଛି । କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ ହୋଇଛି ।

Related Posts