ଭିଡ଼ ହିଂସାର ଭୟରେ ଗୁଜରାଟ ଛାଡୁଛନ୍ତି ଉତ୍ତର ଭାରତୀୟ । ମାସେ ତଳର ଘଟଣାକୁ ନେଇ ଆରମ୍ଭ ହୋଇଥିବା ହିଂସା କାଣ୍ଡ ଅଧିକରୁ ଅଧିକ ଜଟିଳ ରୂପ ନେଉଛି । ଗୁଜରାଟର ଲୋକେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରୁ ଯାଇ ସେଠାରେ କାମ କରୁଥିଲା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଫଳରେ ଗୁଜୁରାଟ ଛାଡ଼ି ହଜାର ହଜାର ସଂଖ୍ୟାରେ ଉତ୍ତର ପ୍ରଦେଶ ଓ ବିହାରର ବାସିନ୍ଦା ନିଜ ରାଜ୍ୟକୁ ପଳାଉଛନ୍ତି ।
ଗୁଜୁରାଟୀମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ବହୁ ଲୋକ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ଧମକ ଚମକ ଦିଆଯାଉଛି । ଅହମ୍ମଦାବାଦ, ସୁରଟ, ବରୋଦା, ପଞ୍ଚମହାଲ୍ ଗୁଜୁରାଟର ବହୁ ସହରରେ ଉତ୍ତର ଭାରତୀୟ ଖାସ୍ କରି ଉତ୍ତର ପ୍ରଦେଶ ଓ ବିହାରର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ତେବେ ବାହାର ରାଜ୍ୟର ଲୋକଙ୍କୁ ଗୁଜୁରାଟ ଛାଡ଼ି ନ ଯିବାକୁ ବୁଝାସୁଝା କରୁଛନ୍ତି ସେଠାକାର ପୋଲିସ୍ । ଗୁଜରାଟ ପୋଲିସ୍ ପକ୍ଷରୁ ସବୁ ସହରରେ ଜୋରଦାର ପାଟ୍ରୋଲିଂ କରାଯାଉଛି । ହଙ୍ଗାମା କରୁଥିବା ଓ ବାଡ଼ି ଠେଙ୍ଗା ଧରି ବାହାରୁଥିବା ପ୍ରାୟ 350 ଲୋକଙ୍କୁ ଏ ଯାଏଁ ଗିରଫ କରାଗଲାଣି । ବରିଷ୍ଠ ପୋଲିସ୍ ଅଧିକାରୀ ମାନେ ନିଜେ ଉତ୍ତର ପ୍ରଦେଶ ଓ ବିହାରର ଲୋକଙ୍କ ସହ ବୈଠକ କରି ସେମାନଙ୍କୁ ସୁରକ୍ଷା ଦେବାକୁ ବିଶ୍ବାସ ଦେଉଛନ୍ତି ।
କେଉଁଠୁ ଆରମ୍ଭ ହେଲା ହିଂସା
28 ସେପ୍ଟେମ୍ବରରେ ସାବରକାଣ୍ଠାରେ 14 ମାସର ଗୋଟିଏ ଶିଶୁ ସହ ଦୁଷ୍କର୍ମ ହୋଇଥିଲା । ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ୍ ସେହିଦିନ ଗିରଫ କରିଥିଲା । ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ରବୀନ୍ଦ୍ର ସାହୁ ବିହାର ବାସିନ୍ଦା । ଦୁଷ୍କର୍ମ ମାମଲାରେ ଗିରଫଦାରୀ ପରେ ଉତ୍ତେଜନା ଆରମ୍ଭ ହେଲା । ତା ପରେ ୟୁପି ଓ ବିହାରର ଲୋକଙ୍କୁ ଉତ୍ତେଜିତ ଲୋକେ ଟାର୍ଗେଟ୍ କରିବା ଆରମ୍ଭ କଲେ ।
ଶିଶୁ ସହ ଦୁଷ୍କର୍ମ ଘଟଣା ନେଇ ଗୁଜରାଟବାସୀଙ୍କ ସହ ବିହାର ଓ ୟୁପିର ଲୋକେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ବି ପୀଡ଼ିତାକୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ୍ ରାଲି କରିଥିଲେ । କିନ୍ତୁ ତା ସତ୍ବେ କିଛି ଲୋକଙ୍କ ରାଗ ଶାନ୍ତ ହେଉନାହିଁ ।