
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ମେଳା-୨୦୨୨ । ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ ମେଳା ଆଦିବାସୀ ମେଳା । ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି । ଏହି ମେଳା ଏପ୍ରିଲ ୨୩ ତାରିଖରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ 10 ଦିନ ଧରି ଚାଲିବ ଏହି ମେଳା । ଏଥିପାଇଁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ମେଳାର ଆୟୋଜନ କରାଯାଇଛି ।
ଚଳିତ ବର୍ଷ ଏହି ମେଳା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି । ଆଦିବାସୀ ମେଳାର ଅନ୍ୟତମ ଆକର୍ଷଣ ଆଦିବାସୀ ଗାଁ ଚଳିତ ବର୍ଷ ପ୍ରତିଷ୍ଠା ହୋଇନାହିଁ । କେବଳ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ପାଇଁ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଯେଉଁଥିରେ ଆଦିବାସୀ ମେଳା ପାଇଁ 103 ଷ୍ଟଲ ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ ପାଇଁ 84 ଷ୍ଟଲ ଲାଗିଛି । ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ମେଳାର ପ୍ରତ୍ୟେକ ସନ୍ଧ୍ୟା ୬.୩୦ରୁ ରାତ୍ର ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି ।ସୂଚନା ଅନୁଯାୟୀ, ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୮ ରୁ ୧୦ ଲକ୍ଷ ଦର୍ଶକ ଆସିଥାଆନ୍ତି । ଏହି ମେଳାରେ ୫ ରୁ ୬ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଛି । ଭୁବନେଶ୍ବର ଓ ଏହାର ଆଖପାଖ ଅଧିବାସୀମାନେ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ ଆସିଥାନ୍ତି ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନା ଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲ ଜାତ ଦ୍ରବ୍ୟ ଏହି ମେଳାରୁ କ୍ରୟ କରିଥାନ୍ତି ।
ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟପାକ ପୋଲିସ ମୁତୟନ କରାଯିବା ସହିତ ବେସରକାରୀ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜନ କରାଯାଇଛି ।
ମେଳା ପରିସରର ବିଭିନ୍ନ କୋଣରେ ଏକାଧିକ କୋଜ୍ ସର୍କିଟ୍ କ୍ୟାମେରା ଲଗାଯାଇଛି ଏବଂ ଏହାର ମନିଟରିଂ ପୋଲିସ୍ କଣ୍ଟ୍ରୋଲ ରୁମ୍ ଓ ମୁଖ୍ୟ କଣ୍ଟ୍ରୋଲ ରୁମ୍ରେ ରହିଛି । କୋରୋନା ସତର୍କତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଲଗାଯାଇଛି ତଥା ସାନିଟାଇଜର ଏବଂ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ନିରାପତ୍ତା ଦୃଷ୍ଟିକୋଣରୁ ମୁଖ୍ୟ କଣ୍ଟ୍ରୋଲ ରୁମ୍, ଆଶୁ ଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ଦମକଳ କେନ୍ଦ୍ର, ଅସ୍ଥାୟୀ ଜନସ୍ବାସ୍ଥ୍ୟ ଓ ବିଦ୍ୟୁତ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ଆବଶ୍ୟକ ପରିମାଣରେ ଅଗ୍ନିନିର୍ବାପକ ଯନ୍ତ୍ର ପ୍ରତ୍ୟେକ ଭାଗରେ ମହଜୁଦ ରଖାଯାଇଛି ।ପ୍ରତ୍ୟେକ ବର୍ଷ ଭଳି ଦର୍ଶକମାନେ ଏହି ମେଳାରୁ ଜିନିଷପତ୍ର କିଣାକିଣି କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେବାପାଇଁ ସମସ୍ତ ସୁବନ୍ଦୋବସ୍ତ ବିଭାଗ ଦ୍ବାରା କରାଯାଇଛି । ଏଥର ମେଳାର ମୁଖ୍ୟ ଆକର୍ଷଣ ଆଦିବାସୀଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ । କେବଳ ଗୃହ ନୁହେଁ, ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମଧ୍ୟ ଖାଇବାକୁ ମିଳିବନି ।