ଆଠଗଡ଼ ଧବଳେଶ୍ୱର ପୀଠରେ ୧୪୪ ଧାରା ଲଗାଇଲା ପ୍ରଶାସନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଠଗଡ଼ ଧବଳେଶ୍ୱର ପୀଠରେ ପ୍ରଶାସନ ଲଗାଇଲା ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଡଙ୍ଗାରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି।

ତେବେ ଗତକାଲି ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ପରେ ଚେତିଛି ଜିଲ୍ଲା ପ୍ରଶାସନ। ସକାଳେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା ଜାରି କରିଛନ୍ତି। ତେବେ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା।

ଅନ୍ୟପଟେ ଆଗକୁ ଆସୁଛି ବାବା ଧବଳେଶ୍ଵରଙ୍କର ବଡ଼ ଓଷା। ଏଥିପାଇଁ ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଜନ ସମାଗମ ହୋଇଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପାଇଁ ଆସିବେ। ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି। ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି।

ଧବଳେଶ୍ୱରରେ ଥିବା ଝୁଲା ପୋଲରେ ଫାଟ ହୋଇଛି। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ହୋଇଛି। ଏହାର ମରାମତି କରାଯିବ।କୋଲକାତାର ବିଶେଷଜ୍ଞ ଟିମ୍‌ ସହ ଆଜି ଗ୍ରାମ ଉନ୍ନୟନ ବିଭାଗର ଟିମ୍‌ ଆଜି ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୦୬ ମସିହାରେ ଉଦ୍‌ଘାଟନ ହୋଇଥିବା ଏହି ଝୁଲାପୋଲ ଏବେ କ୍ରମଶଃ ଦୁର୍ବଳ ହେବାରୁ ସାଧାରଣ ଭକ୍ତଙ୍କୁ ମନ୍ଦିର ନ ଆସିବାକୁ ନିବେଦନ କରାଯାଇଥିଲା। କେବଳ ବଡ଼ଓଷା ବ୍ରତଧାରି ମନ୍ଦିର ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

Related Posts