ଆସନ୍ତାକାଲି ମୋରବି ଗସ୍ତକରି ଝୁଲାପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ମଙ୍ଗଳବାର ତାଙ୍କ ଗୁଜୁରାଟ ଗସ୍ତର ଶେଷ ଦିନ। ଗସ୍ତର ଶେଷ ଦିନରେ ସେ ମୋରବି ଯାଇ ଝୁଲାପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଭେଟିବେ । ଏହାପରେ ହସ୍ପିଟାଲରେ ଚିକିତ୍ସିତ ଆହତଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରବିବାର ସଂଧ୍ୟାରେ ଘଟିଥିବା ଏହି ଦୁର୍ଘଟଣା ଏବେ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇସାରିଛି ।ଏବେ ବି ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣା ପରେ ପ୍ରାୟ ୨୦୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତେବେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟେଚ୍ୟୁ ଅଫ୍ ୟୁନିଟି ନିକଟରେ ନିଜ ସମ୍ୱୋଧନରେ ମୋରବି ପୋଲ ଦୁର୍ଘଟଣା କଥା ଉଲ୍ଲେଖ କରି ଭାବୁକ ହୋଇଥିଲେ। ବ୍ରିଟିଶ ଅମଳର ଏହି ପାଦ ଚଲା ପୋଲ ଛିଡିବା ଘଟଣାରେ ପିଏମ ମୋଦୀ ଦୁଃଖ ପ୍ରକାଶ କରିଥିଲେ । ଏହାସହ ମୃତକଙ୍କ ପରିବାର ପ୍ରତି ନିଜ ସମବେଦନା ଜଣାଇଥିଲେ । ପିଏମ ମୋଦୀ ଭାବୁକ ସ୍ୱରରେ କହିଥିଲେ, ‘ମୁଁ ଏକତା ନଗରରେ ଅଛି, କିନ୍ତୁ ମୋର ମନ ମୋରବି ପୀଡିତଙ୍କ ସହ ଅଛି । ସମ୍ଭବତଃ ମୁଁ ଜୀନବରେ ଏହିପରି କଷ୍ଟ କେବେ ଅନୁଭବ କରିଥିବି । ଗୋଟିଏ ପଟେ ଯନ୍ତ୍ରଣାରେ ଥିବା ମନ ତ ଅନ୍ୟପଟେ କର୍ତ୍ତବ୍ୟ ପଥ । ଦୁଃଖର ଏହି ସମୟରେ ଶୋକ ସନ୍ତପ୍ତ ପରିବାର ସହ ସରକାର ଛିଡା ହୋଇଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ସବୁ ସମ୍ଭବ ସହାୟତା ପ୍ରଦାନ କରୁଛି’।

Related Posts