
କୋଲକାତା: ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ଶତ୍ରୁଘ୍ନ ସିହ୍ନା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଜାରି ରହିଥିବା ବେ ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ନିଜ ନେତୃତ୍ଵର ସାମର୍ଥ୍ୟ ପ୍ରମାଣିତ କରିଛନ୍ତି।
ପିଟିଆଇ ସହ ସାକ୍ଷାତକାର ସମୟରେ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ୩୫୭୦ କିଲୋମିଟରର ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କଂଗ୍ରେସକୁ ୨୦୨୪ ଲୋକସଭା ନିର୍ବାଚନରେ ସଫଳ କରାଇବ। ଦଳର ଆସନ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ଘଟିବ। ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ ଆସନ ଜିତିବାରେ ସକ୍ଷମ ହୋଇଥିଲା।
ସିହ୍ନା କହିଛନ୍ତି, ଭାରତ ଯୋଡୋ ଯାତ୍ରାରେ ଲୋକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାହୁଲଙ୍କ କରିସ୍ମା କାମ ଦେବା ଆରମ୍ଭ କରିଛି। ଲୋକଙ୍କ ସହ ନିକଟତର ହେବା ସହ ଆସ୍ଥା ଭାଜନ ହେବାରେ ଲାଗିଛନ୍ତି। ଆଶା କରୁଛି, ରାହୁଲଙ୍କ ଯାତ୍ରା କଂଗ୍ରେସ ପାର୍ଟିକୁ ଆଗାମୀ ସାଧାରଣ ନିର୍ବାଚନରେ ବେଶ ଲାଭଦାୟୀ ହେବ। ଦଳର ଆସନ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ଘଟିବ ବୋଲି ସିହ୍ନା କହିଛନ୍ତି।
ଏହି ଯାତ୍ରା ବିଜେପିର ରଥ ଯାତ୍ରା ପରି ପ୍ରତୀତମାନ ହେଉଛି। ଭାରତ ଯୋଡୋ ଯାତ୍ରାର ସମର୍ଥନରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ସଡକକୁ ଓହ୍ଲାଇଛନ୍ତି। ରାହୁଲ ଏହି ଯାତ୍ରା ଜରିଆରେ ନିଜ ନେତୃତ୍ଵ ପରାକାଷ୍ଠା ପ୍ରମାଣିତ କରିଛନ୍ତି। ଲୋକେ ତାଙ୍କୁ ନେତୃତ୍ଵକାରୀ ଭାବେ ଗ୍ରହଣ କରିଛନ୍ତି। ଯେଉଁମାନେ ତାଙ୍କୁ ପପ୍ପୁ ସମ୍ଭୋଧନ କରି ଆକ୍ଷେପ କରନ୍ତି, ସେମାନେ ଆଜି ଭୁଲ୍ ପ୍ରମାଣିତ ହୋଇଛନ୍ତି ବୋଲି ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ହୋଇଥିବା ନିର୍ବାଚନରେ ଶତ୍ରୁଘ୍ନ ଟିଏମସି ଟିକେଟ୍ରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୨୦୧୯ରେ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ସେ କହିଛନ୍ତି, ବିଜେପି ଯେଉଁ ଭଳି ରାହୁଲ ଗାନ୍ଧୀଙ୍କୁ ତାତ୍ସଲ୍ୟ କରୁଛି, ଏହାର ଜବାବ ୨୦୨୪ ଲୋକସଭା ନିର୍ବାଚନରେ ମିଳିବ।