ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଛି ଇଭିଏମ୍ l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି lଡିସେମ୍ବର ୫ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣ ଅଫିସର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରାଯାଇଛି ଇଭିଏମ୍ l

ସେପଟେ ଉପନିର୍ବାଚନ ପୂର୍ବରୁ ରୋଚକ ହୋଇଛି ପଦ୍ମପୁର ରାଜନୀତି । ଭୋଟ୍ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଓ ଚାଷୀଙ୍କ ଫସଲ ବୀମା ପ୍ରସଙ୍ଗ ନିର୍ବାଚନୀ ମୁଦ୍ଦା ହୋଇଛି । ଏନେଇ ଆନ୍ଦୋଳନ ଓ ଧର୍ମଘଟ ମଧ୍ୟ ଜାରି ରହିଛି। ଚାଷୀ ମାନେ ସେମାନଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ନ କରିବାକୁ ସମସ୍ତ ଦଳର ପ୍ରାର୍ଥୀଙ୍କୁ ନିବେଦନ କରିଛନ୍ତି। ଯେଉଁ ପ୍ରାର୍ଥୀ ଚାଷୀଙ୍କ ଅନୁରୋଧ ରକ୍ଷା ନକରି ନାମାଙ୍କନ ଦାଖଲ କରିବେ ସେମାନଙ୍କୁ ଉପନିର୍ବାଚନରେ ଉଚିତ୍ ଜବାବ୍ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ଏହି କ୍ରମରେ ସୋମବାର ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାନଙ୍କନ୍ ଦାଖଲ କରି ନାହାଁନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିନଥିବା କହିଛନ୍ତି । ଏହାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ କେବେ ପ୍ରାର୍ଥିପତ୍ର ଦାଖଲ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି। ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ତା ପୂର୍ବରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ ।