କିଛିିଦିନ ଚୁପ ରହିବା ପରେ ପୁଣି ଓଡ଼ିଶାରେ ବେଆଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛିିଦିନ ଚୁପ ରହିବା ପରେ ପୁଣି ଓଡ଼ିଶାରେ ବେଆଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କଲା ଆନ୍ଧ୍ର । ଯାହାକୁ ଆଜି ଦ୍ବିତୀୟ ଥର ପାଇଁ ବନ୍ଦ କରିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପ୍ରଶାସନ । ତେବେ କୋଟିଆକୁ ନିଜର ବୋଲି ଦର୍ଶାଇ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର। ଏପରିକି ନିଜ ରାଜ୍ୟର ଯୋଜନାରେ ଏହି ବିବାଦୀୟ ଅଞ୍ଚଳରେ ଲାଗୁ କରିଛି। ଏହିକ୍ରମରେ ଫଗୁଣସିନେଣୀ ଗାଁରେ କିଛି ମାସ ତଳେ ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭ କରିଥିଲେ। ଏହି ଖବର ପାଇ ଓଡ଼ିଶାର ପ୍ରଶାସନିକ ଅଧିକାରୀ ପହଞ୍ଚି ବିରୋଧ କରିଥିଲେ। ତୁରନ୍ତ କାମ ବନ୍ଦ କରିବକୁ ନିର୍ଦ୍ଦେଶ ଦେଇଥିଲେ। ଚାପ ପଡ଼ିବାରୁ ଏହି କାମକୁ ବନ୍ଦ କରି ଦେଇଥିଲା ଆନ୍ଧ୍ର। ତେବେ ଗୁପ୍ତ ମନ୍ତ୍ରଣା କରି କିଛି ଦିନ ତଳେ ପୁଣି କାମ ଆରମ୍ଭ କରିଥିଲା। ଏହି କଥା ଯେମିତି ବାହାରେ ପ୍ରଘଟ ନହୁଏ ସେଥିପ୍ରତି ଗୁରୁତ୍ବ ଦେଇଥିଲା।

ଯାହାଫଳରେ ବର୍ତ୍ତମାନ ଉକ୍ତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଛାତ ପଡ଼ିବା ପର୍ଯ୍ୟନ୍ତ ଶେଷ ହୋଇଯାଇଛି। ବିଶ୍ବସ୍ତ ସୂତ୍ରରୁ ଆନ୍ଧ୍ରର ଏହି କାରସାଦି ପଟାଙ୍ଗି ବ୍ଲକ୍ ପ୍ରଶାସନ ନିକଟରେ ପହଞ୍ଚିଥିଲା। ଆଜି ପଟାଙ୍ଗି ବିଡିଓ ସୌଭ୍ୟ ସାର୍ଥକ ମିଶ୍ର, କୋଟିଆ ଏଏସ୍‌ଆଇ ପି.କେ ଦଣ୍ଡସେନା, କୋଟିଆ ସରପଞ୍ଚ ଲିଉ ଗେମେଲଙ୍କ ସମେତ କିଛି ଅଧିକାରୀ ଫଗୁଣସିନେରୀ ପହଞ୍ଚିଥିଲେ। ନିର୍ମାଣାଧୀନ ଅଙ୍ଗନବାଡି କେନ୍ଦ୍ର ସଂପର୍କରେ ପ୍ରଥମେ ଗ୍ରାମବାସୀଙ୍କୁ ପଚାରିଥିଲେ। କିଏ କରୁଛି ଓ କ’ଣ ପାଇଁ କରେଇବାକୁ ଦେଉଛ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇ ନଥିଲେ ଗ୍ରାମବାସୀ। ଗାଁରେ ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ରହିଛି। ଏହାସତ୍ତ୍ବେ ଆନ୍ଧ୍ରକୁ କାହିଁକି ପ୍ରଶ୍ରୟ ଦେଉଛ ବୋଲି ପ୍ରଶ୍ନ କରିବାରୁ ଗ୍ରାମବାସୀ ନିରବ ରହିଥିଲେ। ଏହାପରେ ନିର୍ମାଣ କାର‌୍ୟ୍ୟକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts