ଜୟପୁର, (ସତ୍ୟପାଠବ୍ୟୁରୋ): କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ଅବସ୍ଥିତ କୋଟିଆ ଗାଁକୁ ନେଇ ବିବାଦ ଥମିବାର ନା ନେଉନାହିଁ। କୋଟିଆକୁ ଆନ୍ଧ୍ର ନିଜର ଜାବି କରି କେତେବେଳେ ଏହା ଉପରେ ଅକ୍ତିଆର କରୁଛି ତ ଆଉ କେତେବେଳେ ଏଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛି। ଏଠାକାର ନୀରିହ ଆଦିବାସୀ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆନ୍ଧ୍ର ଅକ୍ତିଆର କରି ନେଉଛି। ତେବେ ଏନେଇ ଓଡ଼ିଶା ସରକାର ପକ୍ଷରୁ ତତ୍ପରତା ପ୍ରକାଶ କରିବା ସହ କୋଟିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ପ୍ରାୟ ୨୮କୁ ଛୋଟ ଛୋଟ ଗାଁ ରହିଛି। ଏହାରି ଭତିରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍ରେ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି। ଡିଜିଟାଲ ମାନଚିତ୍ରରେ କୋଟିଆର ପ୍ରଶାସନିକ ସୀମା ଓ ପରିଚୟ ସଠିକ୍ ଭାବେ ପ୍ରତିଫଳିତ କରିବା ପାଇଁ ରାଜ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଭୂମିସ୍ତରର ସୀମା ବିବାଦ ସହ ଏହି ଡିଜିଟାଲ ଚିତ୍ରଣ ଜଡ଼ିତ ଥିବାରୁ ଏହାକୁ ନେଇ ପ୍ରଶାସନିକ ମହଲରେ ମଧ୍ୟ ଗୁରୁତ୍ୱ ବଢ଼ିଛି। କୋଟିଆର ଭୁଲ ଚିତ୍ରଣ ନେଇ ପ୍ରଥମେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଗୁଗୁଲ ଇଣ୍ଡିଆ ଓ ଗୁଗୁଲ ଏଲ୍ଏଲ୍ସିଙ୍କ ନିକଟରେ ଆପତ୍ତି ଜଣାଇ ସୀମା ସଂଶୋଧନ ଦାବି କରାଯାଇଥିଲା। ପରେ ଭାରତ ସରକାରଙ୍କ ସର୍ଭେୟର ଜେନେରାଲଙ୍କ ନିକଟରେ ମଧ୍ୟ ମହାମଞ୍ଚ ପକ୍ଷରୁ ହସ୍ତକ୍ଷେପ ଲାଗି ଦାବିପତ୍ର ଦିଆଯାଇଥିଲା। ଏହାର ଉତ୍ତରରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଉପନିର୍ଦ୍ଦେଶକ ଏସ୍.ପି. କାର୍ତ୍ତିକେୟନ୍ ସ୍ପଷ୍ଟ କରିଛନ୍ତି ଯେ, ଦେଶର ଅଧିକୃତ ପ୍ରଶାସନିକ ଓ ଭୂଖଣ୍ଡୀୟ ସୀମା ସମ୍ପର୍କିତ ତଥ୍ୟର ପ୍ରମାଣୀକରଣ ପାଇଁ ସର୍ଭେ ଅଫ୍ ଇଣ୍ଡିଆ ହେଉଛି ଦାୟୀ କର୍ତ୍ତୃପକ୍ଷ। ବାଣିଜ୍ୟିକ ମ୍ୟାପିଂ ପ୍ଲାଟଫର୍ମରେ ସିଧାସଳଖ ସଂଶୋଧନ କରିବାର କ୍ଷମତା ଏନ୍ଆଇସିର ନାହିଁ ବୋଲି ସେ ଜଣାଇଛନ୍ତି। ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀଙ୍କ କହିବା ଅନୁଯାୟୀ, ଡିଜିଟାଲ ମାନଚିତ୍ରରେ ସୀମାର ଭୁଲ ଚିତ୍ରଣ ଭବିଷ୍ୟତରେ ଲୋକଙ୍କ ମଧ୍ୟରେ ଭ୍ରାନ୍ତିପୂର୍ଣ୍ଣ ଭୂଖଣ୍ଡୀୟ ଧାରଣା ସୃଷ୍ଟି କରିପାରେ। କୋଟିଆକୁ ନେଇ ଦୀର୍ଘଦିନର ସୀମା ବିବାଦ ପରିପ୍ରେକ୍ଷୀରେ ଡିଜିଟାଲ ମାନଚିତ୍ରର ଏଭଳି ଚିତ୍ରଣ ଅଧିକ ସମ୍ବେଦନଶୀଳ ବୋଲି ସେ କହିଛନ୍ତି। ତେଣୁ କୋଟିଆର ପରିଚୟ ଓ ସୀମା ଭୂମିସ୍ତର ସହିତ ପ୍ରତ୍ୟେକ ଡିଜିଟାଲ ମାନଚିତ୍ରରେ ମଧ୍ୟ ସଠିକ୍ ଭାବେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତୁରନ୍ତ ସରକାରୀ ହସ୍ତକ୍ଷେପ ଦାବି କରିଛନ୍ତି। ଗୁଗୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଭାରତ ସରକାର ଓ ଏନ୍ଆଇସି ମାଧ୍ୟମରେ ବିଭିନ୍ନ ଡିଜିଟାଲ ମ୍ୟାପିଂ ପ୍ଲାଟଫର୍ମରେ ଓଡ଼ିଶାର ଅଧିକୃତ ପ୍ରଶାସନିକ ସୀମାର ଏକରୂପ ଚିତ୍ରଣ ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ମାମଲାକୁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ନେଇ ସମାଧାନ ପାଇଁ ରାଜସ୍ବ ବିଭାଗର ସ୍ୱତନ୍ତ୍ର ସଚିବ ଶେଖ ଜମିରୁଦ୍ଦିନଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏହିକ୍ରମରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀ ସଚିବାଳୟରେ ଶ୍ରୀ ଜମିରୁଦ୍ଦିନଙ୍କୁ ସାକ୍ଷାତ କରି ଡିଜିଟାଲ ମାନଚିତ୍ରର ତ୍ରୁଟି ସଂଶୋଧନ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାକୁ ଅନୁରୋଧ କରିଛନ୍ତି।
