ଦିଲ୍ଲୀ ପରେ ପଞ୍ଜାବରେ ଆସ୍ଥା ଭୋଟ କରିବ ଆପ୍

ଚଣ୍ଡୀଗଡ: ଦିଲ୍ଲୀ ପରେ ପଞ୍ଜାବରେ ଆସ୍ଥା ଭୋଟ କରିବ ଆପ୍। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବ ଆପ । ଏନେଇ ଆମ୍ ଆଦମୀ ପାର୍ଟିର ପଞ୍ଜାବ ସରକାର ଘୋଷଣା କରିଛନ୍ତି। ଅଗଷ୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଆସ୍ଥ‌ା ଭୋଟ କରି ଦିଲ୍ଲୀରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲେ। ବର୍ତ୍ତମାନ ପଞ୍ଜାବରେ ମଧ୍ୟ ଠିକ ସେଭଳି କିଛି ହେବାକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ସେପ୍ଟେମ୍ବର ୨୨ ଅର୍ଥାତ୍ ଗୁରୁବାର ଦିନକୁ ସ୍ଥିର କରାଯାଇଛି। ନିକଟରେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ଯେ ବିଜେପି ଆପ୍ ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି ଏବଂ ଦଳ ଛାଡିବା ପାଇଁ ସେମାନଙ୍କୁ କୋଟି କୋଟି ଟଙ୍କା ଦେଇଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ଯେ ରାଜ୍ୟରେ ଭଗୱନ୍ତ ମାନ ନେତୃତ୍ୱାଧୀନ ସରକାରକୁ ହଟାଇବାକୁ ବିଜେପି ଚେଷ୍ଟା କରୁଛି। କେବଳ ଏତିକି ନୁହେଁ ୧୦ଜଣ ବିଧାୟକଙ୍କୁ ୨୦-୨୫କୋଟି ଟଙ୍କା ଦେବାକୁ ଅଫର ଦେଇଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିବା ସହ ବିଜେପି କିଛି ଆପ୍ ବିଧାୟକଙ୍କୁ ଯୋଗାଯୋଗ କରିଛି। ବରିଷ୍ଠ ଆପ୍ ନେତା ଦାବି କରିଥିଲେ ଯେ ୭ରୁ ୧୦ଜଣ ଆପ୍ ବିଧାୟକଙ୍କୁ ଟଙ୍କା ଏବଂ ମନ୍ତ୍ରୀ ପଦର ଲୋଭ ଦିଆଯାଇ ଯୋଗାଯୋଗ କରାଯାଇଛି। କିଛି ବିଜେପି କର୍ମୀ ଟେଲିଫୋନ୍ ଯୋଗେ ଆମ ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି। ଦିଲ୍ଲୀର ବଡ ନେତାଙ୍କ ସହ ତାଙ୍କର ସାକ୍ଷାତ ପାଇଁ ବ୍ୟବସ୍ଥା କରାଯିବ ଏବଂ ତାଙ୍କୁ ୨୫କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇ ଦଳ ସହ ବିଶ୍ବାସଘାତକତା କରିବାକୁ କୁହାଯାଉଛି ।

Related Posts