୨୦୨୩ ଜାନୁୟାରୀ ପରେ ବେକାର ହୋଇଯିବ କୋଭାକ୍ସିନ ଟିକାର ୫କୋଟି ଡୋଜ୍

ନୂଆଦିଲ୍ଲୀ : ଭାରତ ବାୟୋଟେକ୍‌ ଙ୍କ କୋଭିଡ-୧୯ ଭେକ୍ସିନର ପାଖାପାଖି ୫ କୋଟି ଡୋଜ ନଷ୍ଟ ହେବାକୁ ବସିଛି । ଏ ଗୁଡିକର ବ୍ୟବହାର ସମୟ ସୀମା(ଏକ୍ସପାଇରୀ ଡେଟ୍) ୨୦୨୩ ଜାନୁୟାରୀ ରେ ଶେଷ ହୋଇଯିବ। ଚାହିଦା କମ ଯୋଗୁ ଟିକାର କେହି କ୍ରେତା ମିଳୁ ନାହାନ୍ତି। ଚାହିଦା କମ ଥିବାରୁ ଏହି ୨ ଡୋଜ୍‌ କୋଭାକ୍ସିନ ଟିକାର ଉତ୍ପାଦନ ଚଳିବର୍ଷ ପ୍ରାରମ୍ଭରେ ରୋକି ଦିଆଯାଇଥିଲା। ତେବେ କମ୍ପାନୀ ୨୦୨୧ ଶେଷ ହେବା ପୂର୍ବରୁ ୧ ବିଲିୟନ ଡୋଜ ପ୍ରସ୍ତୁତ କରିଦେଇଥିଲା।

ସୂତ୍ର ଅନୁସାରେ ଭାରତ ବାୟୋଟେକଙ୍କ ନିକଟରେ ୨୦କୋଟିରୁ ଅଧିକ ଡୋଜ ରହିଛି। ତେବେ ଶିଶିରେ ୫ କୋଟିରୁ ଅଧିକ ଡୋଜ ଉପଯୋଗ ଲାଗି ପ୍ରସ୍ତୁତ ହୋଇ ରହିଛି। ଟିକାର ଚାହିଦା ହ୍ରାସ ଯୋଗୁ ଚଳିବର୍ଷ ପ୍ରାରମ୍ଭରେ ୭ ମାସ ପୂର୍ବେ ଟିକାର ଉତ୍ପାଦନ ରୋକି ଦିଆଯାଇଥିଲା। ଶିଶିମାନଙ୍କରେ ଥିବା କୋଭାକ୍ସିନର ଡୋଜ ୨୦୨୩ ପ୍ରାରମ୍ଭରେ ଏକ୍ସପାୟର ହୋଇଯିବ। ତେବେ ଏହି ଟିକା ଖରାପ ହେବା ଯୋଗୁ ଭାରତ ବାୟୋଟେକର କେତେ କ୍ଷତି ହେବ ତାହା ଜଣାପଡି ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଅନୁସାରେ ଭାରତରେ ଶନିବାର କୋଭିଡ-୧୯ର ୧ ହଜାର ୮୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇ ୧୫ ହଜାର ୨୦୦କୁ ପହଞ୍ଚିଯାଇଛି। ସେହିପରି ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୨୧୯.୭୧ କୋଟି ଡୋଜ ଦିଆଯାଇଛି।

ସେହିପରି ସାରା ବିଶ୍ୱରେ କୋଭିଡ-୧୯ର ପ୍ରକୋପ ହ୍ରାସ ହେଉଛି। ଏଣୁ କୋଭାକ୍ସିନର ରପ୍ତାନୀ ଚାହିଦା ମଧ୍ୟ ନାହିଁ। ଏବେ ବୈଶ୍ୱିକ ସ୍ତରରେ କୋଭିଡ-୧୯କୁ ଆଉ ବିପଦଜନକ ମନେ କରାଯାଉ ନଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଚଳିତବର୍ଷ ଏପ୍ରିଲ ମାସରେ ଏଜେନ୍ସୀଙ୍କ ମାଧ୍ୟମରେ କୋଭାକ୍ସିନ ଟିକା କିଣା ନିଲମ୍ବିତ କରିଥିବା ପୁଷ୍ଟି କରିଥିଲେ।

Related Posts