ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଫଳାଫଳ ଆସିବାର ତୃତୀୟ ଦିନରେ କଂଗ୍ରେସକୁ ସବୁଠୁ ବଡ ଝଟକା ଲାଗିଛି। ଶୁକ୍ରବାର ଦିନ କଂଗ୍ରେସର ୨ଜଣ କାଉନସିଲର ଦଳ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ କଂଗ୍ରେସ ଉପାଧ୍ୟକ୍ଷ ଅଲି ମେହେନ୍ଦିଙ୍କ ବ୍ୟତୀତ ବ୍ରିଜପୁରୀ ୱାର୍ଡର କଂଗ୍ରେସ କାଉନସିଲର ନାଜିଆ ଖାତୁନ୍ ଏବଂ ମୁସ୍ତାଫାବାଦ ୱାର୍ଡର କାଉନସିଲର ସବିଲା ବେଗମ୍ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଆପର ନଗର ନିଗମ ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକ ଉଭୟ କଂଗ୍ରେସ କାଉନସିଲର ଏବଂ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ଦଳରେ ସାମିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ମ୍ୟାଜିକ ନମ୍ବରଠାରୁ ଯଥେଷ୍ଟ ଅଧିକ ଆସନ ପାଇ ଜିତିଛି। ଆପ୍ ୨୫୦ଟି ଆସନ ମଧ୍ୟରୁ ୧୩୪ଟି ଆସନ ଜିତିଛି। ୧୦୪ଟି ୱାର୍ଡରେ ବିଜେପି ଜିତିଥିବା ବେଳେ କଂଗ୍ରେସ ୯ଟି ଆସନ ଜିତିଥିଲା। ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି ଆସନ ହାସଲ କରିଥିଲେ। ବର୍ତ୍ତମାନ କଂଗ୍ରେସର ଦୁଇଜଣ କାଉନସିଲର ଆପକୁ ଚାଲିଯାଇଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀ ନଗର ନିଗମରେ କଂଗ୍ରେସର ୭ଜଣ କାଉନସିଲର ରହିବେ।