ମୁମ୍ବାଇ ପରେ ଏବେ ଚଣ୍ଡିଗଡ଼ ଓ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା

ଚଣ୍ଡିଗଡ଼: ଦେଶର ବିଭିନ୍ନ ସ୍ଥାନରେ ଏବେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଧମକ ମିଳିବା ପରେ ଏବେ ଚଣ୍ଡିଗଡ଼ ଓ ପଞ୍ଜାବର ମୋହାଲୀରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସୂଚନା ମିଳିଛି। ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ପକ୍ଷରୁ ଏହି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ତେଣୁ ଏନେଇ ସତର୍କ ରହିବା ସହ ଗୁଇନ୍ଦା ବିଭାଗକୁ ସହଯୋଗ କରିବାକୁ ରାଜ୍ୟ ପୁଲିସ, ଜିଆର୍‌ପି,ଏବଂ ରାଜ୍ୟ ଗୁଇନ୍ଦା ସଂସ୍ଥାକୁ ନିର୍ଦ୍ଦଦେଶ ଦିଆଯାଇଛି।

ଗତକାଲି ମୁମ୍ବାଇରେ ଭୟଙ୍କର ଆକ୍ରମଣ ନେଇ ସୂଚନା ମିଳିଥିଲା। ୨୬/୧୧ ଭଳି ପୁଣିଥରେ ଆକ୍ରମଣ ହେବ ବୋଲି ମୁମ୍ବାଇ ପୁଲିସ ଟ୍ରାଫିକ୍ କଣ୍ଟ୍ରୋଲ୍ର ହ୍ୱାଟ୍ସଆପ୍‌ ନମ୍ବରକୁ ଏକ ଚେତବନୀପୂର୍ଣ୍ଣ ମେସେଜ୍ ଆସିଛି। ଏକ ପାକିସ୍ତାନ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି। ଭାରତରେ ରହି ୬ ଜଣ ଭୟଙ୍କର ଆକ୍ରମଣର ଯୋଜନା କରୁଥିବା ମେସେଜ୍‌ରେ କୁହାଯାଇଛି।

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକର। ସେ କହିଛନ୍ତି “ ମମ୍ମଦ ଇମ୍‌ତିଆଜ୍‌ ନାମରେ ପଞ୍ଜିକୃତ ହୋଇଥିବା ଏକ ପାକିସ୍ତାନ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଛି। ତାଙ୍କ ଘର ମୋହଲ ଅଜିଜ କଲୋନୀ ୱାନ୍ଦଲାହ ରୋଡ, ଶାଦ୍ରା ଲାହୋର। ଏହି ଲୋକ ନାଁରେ ମୋଟ ୪ ନମ୍ବର ରହିଛି।” ଏହି ଧମକ ପରେ ମୁମ୍ବାଇ ପୁଲିସ ସତର୍କ ହୋଇଛି। ଉପକୂଳ ଅଞ୍ଚଳଗୁଡ଼କରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରିଦିଆଯାଇଛି। ତଟରକ୍ଷୀ ବାହିନୀଙ୍କ ସହ ଯୋଗଯୋଗ ଚାଲିଛି ବୋଲି ମୁମ୍ବାଇ ପୁଲିସ କମିଶନର କହିଛନ୍ତି।

ଏହି ମେସେଜ୍ ପାଇବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅନ୍ୟ ତଦନ୍ତକାରୀ ସଂସ୍ଥାମାନଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିବା କୁହାଯାଉଛି।

Related Posts