ବନ୍ୟା ମୁକାବିଲା: ବାଲେଶ୍ୱର ଜିଲ୍ଲାପାଳଙ୍କୁ ମିଳିଲା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କ୍ଷମତା

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ, ଦେଖା ଦେଇଛି ବନ୍ୟା ସ୍ଥିତି। ତେବେ ଆଜି ପ୍ରବଳ ବନ୍ୟା ହେବାର ସମ୍ଭାବନା ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ କ୍ଷମତାକୁ ବଢ଼ାଇ ଦିଆଯାଇଛି। ତାଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ କ୍ଷମତା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏହି କ୍ଷମତା ଦିଆଯାଇଥିବା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ପ୍ରବଳ ବନ୍ୟା ସମୟରେ ଉପୁଜିବାକୁ ଥିବା ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ କ୍ଷମତା ପ୍ରଦାନ କରାଯାଇଛି। ଏହା ସହିତ ବାଲେଶ୍ୱରରେ ସ୍ଥିତିର ମୁକାବିଲା କରିବା ପାଇଁ ଏକ ହେଲିକପ୍ଟର ମୁତୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକତା ଅନୁସାରେ ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏହି ହେଲିକପ୍ଟର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ।

ସୂଚନାଯୋଗ୍ୟ, ୨୦୦୮ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଠାରୁ ଏଥରର ପ୍ରଭାବ ଅଧିକ ରହିବ। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛି। ବନ୍ୟା ହେଲେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ଅଧିକ ପ୍ରଭାବିତ ହେବ। ଆଜି ଅପରାହ୍ନରୁ ବନ୍ୟାର ପ୍ରଭାବ ପଡ଼ିବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ।

Related Posts