ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେ ମେଟ୍ରୋ ସମ୍ପ୍ରସାରଣର ଉଦଘାଟନ କରିଛନ୍ତି। ଏହା ପରେ ସେ ଟିକେଟ ନେଇ ପିଲାମାନଙ୍କ ସହିତ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ । ଏହି ସମୟରେ ସେ କିଛି ସ୍କୁଲ ପିଲାମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ସେପଟେ ପିଏମ ମୋଦୀଙ୍କୁ ସେମାନଙ୍କ ପାଖରେ ଦେଖି ଓ ତାଙ୍କ ସହ କଥାବାର୍ତ୍ତା କରି ପିଲାମାନେ ବହୁତ ଖୁସି ହୋଇଥିଲେ। ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଫୋଟ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ଏବଂ କ୍ୟାପସନରେ ଲେଖାହୋଇଛି ଯେ, ମୋର ଯୁବ ସାଙ୍ଗମାନଙ୍କ ସହିତ ପୁଣେ ମେଟ୍ରୋ ଟ୍ରେନରେ ଯାତ୍ରା କରିବା ଅବସରରେ । ପ୍ରଧାନମନ୍ତ୍ରୀ ଗାରୱେର୍ କଲେଜ ଷ୍ଟେସନରୁ ମେଟ୍ରୋର ଆନନ୍ଦ ନାଗର ଷ୍ଟେସନକୁ ଯାତ୍ରା କରିଥିଲେ । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ କାର୍ଯ୍ୟକ୍ରମରୁ ଦୂରରେ ରହିଥିବାର ଦେଖିବାକୁ ମିଳିଛି ।
ଏହି ମେଗା ଇଭେଣ୍ଟରେ ସେ କାହିଁକି ଅଂଶଗ୍ରହଣ କରିନାହାଁନ୍ତି ସେନେଇ ଶିବସେନା ମଧ୍ୟ ଏହା ପଛର କାରଣ ସ୍ପଷ୍ଟ କରି ନାହିଁ । ତେବେ କିଛି ଦଳର ନେତା ଏହା କହିଛନ୍ତି ଯେ ସିଏମ ଠାକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଦୃଢ଼ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଶିବସେନା ଏବଂ ମହା ବିକାଶ ଆଘାଡିର ନେତାମାନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଯାହା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଗ୍ରହଣୀୟ ନୁହଁ । ସେପଟେ ମୋଦୀଙ୍କ ମେଟ୍ରୋ ରେଳ ଯାତ୍ରାରେ ତାଙ୍କ ସାଙ୍ଗରେ କିଛି ପିଲା କାଜୁଆଲ ପୋଷାକରେ ଥିବାବେଳେ ଅନେକ ସ୍କୁଲ ପୋଷାକରେ ଥିଲେ। ତେବେ ରବିବାର ଦିନ କେଉଁ ସ୍କୁଲ ଖୋଲା ରହେ ବୋଲି ସୋସିଆଲ ମିଡିଆରେ ଫୋଟ ଦେଖିବା ପରେ ଉପଭୋକ୍ତାମାନେ ପ୍ରତିକ୍ରିୟା ଦେଉଛନ୍ତି । ଏହା ସହ ଛୋଟପିଲାମାନେ ମାସ୍କ ପିନ୍ଧିଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ମାସ୍କ ପିନ୍ଧିନାହାନ୍ତି ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଫୋଟଟି ବେଶ ଭାଇରାଲ ହେବାରେ ଲାଗିଛି ।
