ନୂଆଦିଲ୍ଲୀ: ଅଟା,ମଇଦା ଓ ସୁଜି ପରି ଖାଦ୍ୟ ସାମଗ୍ରୀର ରପ୍ତାନୀ ଉପରେ କେନ୍ଦ୍ର ସରକାର ଜାରି କଲେ କଟକଣା | ଗୋଟିଏ ପରେ ଗୋଟିଏ ଖାଦ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି କରିବାରେ ଲାଗିଥିବା କେନ୍ଦ୍ର ସରକାର ଗହମ ପରେ ଏବେ ଅଟା ଓ ଅନ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି | ଏନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି |
ବିଜ୍ଞପ୍ତି ଅନୁସାରେ ଜୁଲାଇ 12 ତାରିଖରୁ ଏହି କଟକଣା କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଛି । ଏହାକୁ ସମସ୍ତ ରପ୍ତାନୀକାରୀ ସଂସ୍ଥା ଅନୁପାଳନ କରିବାକୁ ବାଧ୍ୟ । କୌଣସି ରପ୍ତାନୀକାରୀ ସଂସ୍ଥା ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅନୁମୋଦନ ବିନା ରପ୍ତାନୀ ପ୍ରକ୍ରିୟା ଆରମ୍ଭ କରିପାରିବ ନାହିଁ । ଗ୍ଲୋବାଲ ସପ୍ଲାଇ ଡିଷ୍ଟ୍ରିବୁଟରମାନଙ୍କ ନୀତି ଯୋଗୁ ଏହି ସବୁ ସାମଗ୍ରୀରେ ଦରଦାମ ମଧ୍ୟ ବଢିଛି । ତେଣୁ ଏହାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏହି ସାମିୟିକ ରପ୍ତାନୀ କଟକଣା ଜାରି କରାଯାଇଥିବା DGFT କହିଛି ।ତେବେ ଏହି ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଅଟାର ରପ୍ତାନୀ ନେଇ ଯେଉଁ ସବୁ କନସାଇମେଣ୍ଟ ସ୍ବାକ୍ଷରିତ କରାଯାଇଛି, ତାହା ରପ୍ତାନୀ କରାଯାଇ ପାରିବ । ଯେଉଁ ସବୁ ବନ୍ଦରରେ ପୂର୍ବ କନସାଇନମେଣ୍ଟ ଅନୁସାରେ ଜାହାଜରେ ଗହମ ବୋଝେଇ ପ୍ରକ୍ରିୟା ମଧ୍ୟ ଜାରି ରହିଛି, ତାହା ମଧ୍ୟ ବିନା ଦ୍ବନ୍ଦରେ ରପ୍ତାନୀ କରାଯାଇ ପାରିବ । କିନ୍ତୁ କଟକଣା ନେଇ ବିଜ୍ଞପ୍ତି ପ୍ରକାଶ ପରେ କୌଣସି ନୂଆ କନସାଇନମେଣ୍ଟ ସ୍ବାକ୍ଷରିତ କରିପାରିବେ ନାହିଁ ରପ୍ତାନୀକାରୀ ସଂସ୍ଥା ।
