
ଭୁବନେଶ୍ୱର,୩/୪ (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ାର ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପରେ ବୁର୍ଲାରୁ ଗଣେଶ ନାଏକ ନାମକ ଜଣେ ବ୍ୟକ୍ତିକୁ ଉଠାଇ ନେଇଛି ପୋଲିସ୍ । ରବିବାର ରିମାଣ୍ଡର ଦ୍ଵିତୀୟ ଦିନରେ ବୁର୍ଲା ଓ ବରଗଡରେ ପୋଲିସ କ୍ରାଇମ ସିନ ରିକ୍ରିଏସନ କରିଛି ଝାରସୁଗୁଡା ପୋଲିସ। ହତ୍ୟାକଣ୍ଡର ଗୁମର ଖୋଲିବାକୁ ପୋଲିସର ପ୍ରୟାସ ଜାରି ରହିଛି। ଏଭଳି ଜଘନ୍ୟ ହତ୍ୟାକଣ୍ଡରେ ଝାରସୁଗୁଡ଼ାବାସୀ ପୁରା ସ୍ତବ୍ଧ ହୋଇଥିଲା ବେଳେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବୁ୍ର୍ଲାରେ ଝାରସୁଗୁଡା ଅପହରଣ ଘଟଣାର କ୍ରାଇମ ସିନ୍ ରିକ୍ରେଏସନ କରିଛି ପୋଲିସ । ଝାରସୁଗୁଡା ପୋଲିସ ରବିବାର ଦୁଇଜଣ ଅଭିଯୁକ୍ତଙ୍କ ସହ ବୁର୍ଲାରୁ ଉଠାଇଥିବା ଗଣେଶ ନାଏକକୁ ସାଙ୍ଗରେ ଆଣି କ୍ରାଇମ ସିନ୍ ରିକ୍ରେଏସନ କରିଛି । ହତ୍ୟାକାଣ୍ଡ ଭିଆଇବା ପୂର୍ବରୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରିଥିଲେ ଦୁଇଜଣ ଅଭିଯୁକ୍ତ । ଏହା ସହ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିଲେ | ଏହା ପରେ ଜଣଙ୍କ ଘରେ ମଧ୍ଯ କିଛି ସମୟ ଅଟକିଥିବା ପୋଲିସ ଜାଣିବାକୁ ପାଇଛି ।
ଏହା ସହ ପୋଲିସ ଘଟଣାସ୍ଥଳର ବରଗଡ ଜିଲ୍ଲା ଭେଡେନ ସହ ମୁଖ୍ୟ ଅଭିଯୁକ୍ତ ଅମିତର ଶ୍ୱଶୁର ଘର ବିନିକା କୁ ନେଇ ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡିଛି | ସିନ ରିକ୍ରିଏସନ ପରେ ବୁର୍ଲା ଓ୍ବାନ ଆର କଲୋନୀସ୍ଥିତ ଗଣେଷ ନାଏକଙ୍କ ଘର ସିଲ୍ କରାଯିବା ସହ ଗଣେଶଙ୍କୁ ଝାରସୁଗୁଡା ପୋଲିସ ଉଠାଇ ନେଇଛି । ତାଙ୍କ ଘରୁ ମଷିଣା ଓ କପଡା ଜବତ ହୋଇଛି । ବୁର୍ଲାର ମେଟାକାନି ରେଷ୍ଟୁରାଣ୍ଟରେ ଅଭିଯୁକ୍ତ ଖାଦ୍ଯ ଖାଇଥିବାବେଳେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ଗଣେଶ ନାଏକ ମେଡିକାଲ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ଯ କରନ୍ତି ।
ସେପଟେ ଛାତ୍ର ସମର୍ଥ ଅଗ୍ରୱାଲ ହତ୍ୟାକଣ୍ଡ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ସ୍ଥାନୀୟ ବାସିନ୍ଦା।ତୁରନ୍ତ ଫାଷ୍ଟଟ୍ରକ କୋର୍ଟ ରେ କେସର ବିଚାର କରି ଦୋଷୀକୁ ଫାଶୀ ଦଣ୍ଡ ପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମର୍ଥ ଅଗ୍ରୱାଲର ଏଭଳି ଜଘନ୍ୟ ହତ୍ୟାକଣ୍ଡରେ ଝାରସୁଗୁଡ଼ାବାସୀ ପୁରା ସ୍ତବ୍ଧ ହୋଇଥିଲା ବେଳେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର ସହରର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଅଭିଯୁକ୍ତ ଙ୍କୁ ଏନକାଉଣ୍ଟର ,ଫାଶୀ ସହ ସେମାନଙ୍କ ଘର ଉପରେ ବୁଲଡୋଜର ଚଳାଇବା ଦାବିରେ ଏକ ଶାନ୍ତି ରାଲି କରାଯାଉଛି।ଏହି ମର୍ମରେ ମହିଳା ମାନେ ସରବାହଲ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ଟାଉନ ଥାନା ନିକଟରେ ପହଁଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ସୋମବାର ସମର୍ଥ ଅଗ୍ରୱାଲକୁ ଅପହରଣ ପରେ ତାଙ୍କ ବାପାଙ୍କୁ ପ୍ରଥମେ ୫୦ ଲକ୍ଷ ଓ ପରେ ୯୦ ଲକ୍ଷ ଟଙ୍କା ଦାବି କରି ଜଘନ୍ୟ ଭାବେ ହତ୍ୟା କରି ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ।