କାବୁ ହେଲା ନରହନ୍ତା ଦନ୍ତା

(ସତ୍ୟପାଠ ବ୍ୟୁରୋ) ଯାଜପୁର: 4 ଦିନ ପରେ ଶେଷରେ କାବୁ ହେଲା ନରହନ୍ତା ଦନ୍ତା । ଦାନଗଦୀ ନିକଟ କଣ୍ଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜର ମାଧ୍ୟମରେ ହାତୀକୁ କାବୁ କଲା ବନ ବିଭାଗ । ହାତୀକୁ କାବୁ କରାଯାଇଥିବା ସ୍ଥାନ ଉପରେ 4 ଦିନ ଯାଏ ନଜର ରଖାଯିବ । ହାତୀ ଚାରିକଡ଼ରେ ଗାତ ଖୋଳାଯାଇ ପାଣି ଯୋଗାଯିବ ବୋଲି କହିଛି ବନ ବିଭାଗ ।

 ଗତ 4 ଦିନ ହେବ ଯାଜପୁରରେ ଆତଙ୍କ ଖେଳାଇଥିବା ଏହି ଦନ୍ତା ହାତୀର ଆକ୍ରମଣରେ ଚ଼ାରି ଜଣ ଲୋକଙ୍କ ଜୀବନ ଯାଇଛି । ଗୁରୁତର ଭାବେ ଆହତ ହୋଇଛନ୍ତି ୧୦ରୁ ଅଧିକ ଲୋକ । ରସୁଲପୁର, କୋରେଇ ଏବଂ ଦାନଗଦି ବ୍ଲକରେ ଗତ କିଛି ଦିନ ହେବ ଆତଙ୍କ ଖେଳାଇଛି ଏହି ହାତୀ । ଗତ ଚରି ଦିନ ଧରି ହାତୀଟି ଦାନଗଦୀର ଧୂଳିଗଡ଼ ଜଙ୍ଗଲରେ ରହି ଆତଙ୍କ ଖେଳାଇଥିଲା । ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହି ବ୍ୟାପକ ଫସଲ ନଷ୍ଟ କରିଥିଲା । ପରେ କେନ୍ଦୁଝର ଏବଂ ଅନୁଗୁଳରୁ ଆସିଥିବା ଦୁଇଟି ବିଶେଷଜ୍ଞ ଟିମ୍‌ ହାତୀ ଘଉଡ଼ାଇବା ଲାଗି ଗତ ରାତିରେ ଉଦ୍ୟମ ଚ଼ଳାଇଥିଲେ । ବନ ବିଭାଗ ସହ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରୁଥିଲେ । ନରହନ୍ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଯାଜପୁରରେ ପହଞ୍ଚିଛନ୍ତି ଶିମିଳିପାଳ, ନନ୍ଦନକାନନ, ଅନୁଗୁଳ ଓ କେନ୍ଦୁଝରରୁ 4ଟି ଟ୍ରାଙ୍କୁଲାଇଜ୍ ଟିମ୍ । ଶେଷରେ 4 ଦିନ ପରେ ଦନ୍ତାକୁ ଟ୍ରାଙ୍କୁଲାଇଜ କରି କାବୁ କରିବାରେ ସଫଳ ହୋଇଛି ବନ ବିଭାଗ ।

Related Posts