ଧାମନଗର ଉପନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଚଢାଉ; ବିପୁଳ ପରିମାଣର ମଦ ଜବତ, ୩ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପୂର୍ବରୁ ଅବକାରୀ ବିଭାଗ ଓ ପୋଲିସକୁ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ଓ ବିଦେଶୀ ମଦ ପେଟି ସହ ଏକ ଟାଟା ଏସି ଗାଡି ଜବତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକଙ୍କ ନେତୃତ୍ୱରେ ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର, ପିରିଜିପୁର, କଲ୍ୟାଣୀ, ଚୂଡ଼ାକୁଟି ବଜାର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏଥିରେ ଗୋଟିଏ ଟାଟା ଏସି ମାଲବାହୀ ଗାଡିରୁ ବିପୁଳ ପରିମାଣ ଲିଟର ବିଦେଶୀ ମଦ ଜବତ କରିବା ସହିତ ୪୦ ଲିଟର ଦେଶୀ ଏବଂ ଆସ୍କା ଫର୍ଟି ମଦ ଜବତ ହୋଇଛି ।

ଏହାସହ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଧାମନଗର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁର ଧ୍ରୁବଚରଣ ମହାରଣା, ଭଗବାନପୁର ଗାଁର ରମେଶ ବେହେରା ଓ ପିରିଜିପୁର ଗାଁର ଅନନ୍ତ ବେହେରା l ତେବେ ଜବତ ହୋଇଥିବା ମଦ ଓ ଗାଡିରୁ ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଧାମନଗର ଥାନାର କର୍ମଚାରୀମାନେ ସାମିଲ ରହିଥିଲେ ।

Related Posts