ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କମେଡି କୁଇନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପାଇଁ ପୁଣି ବଢ଼ିପାରେ ଅଡୁଆ। ଡ୍ରଗ୍ସ ମାମଲାରେ ଭାରତୀ ଓ ହର୍ଷଙ୍କ ଉପରେ ପୁଣିଥରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟନୁଷ୍ଠାନ ନେଇପାରେ। ଆଜି ଏହି ଷ୍ଟାର ଦମ୍ପତିଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍‌ସିବି।

ମିଳିଥିବା ସୂଚନା ଅନୁସାରେ, ଡ୍ରଗ୍ସ ମାମଲାରେ ଏହି ଦମ୍ପତିିଙ୍କ ବିରୋଧରେ ମୁମ୍ବାଇ ଏନ୍‌ସିବି ୨୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହାରେ ଡ୍ରଗ୍ସ ମାମଲାରେ ଏହି ଷ୍ଟାର୍ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଦୁହେଁ ଜାମିନରେ ଅଛନ୍ତି । କିନ୍ତୁ ଏବେ ପୁଣି ଥରେ ଭାରତୀ ଓ ହର୍ଷଙ୍କ ଅଡୁଆ ବଢ଼ିବାରେ ବୋଲି ଆକଳନ କରାଯାଉଛି।

୨୦୨୦ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଏନ୍‌ସିବି ଏନେଇ ତଦନ୍ତ ଆରମ୍ଭ କରିଥିଲା। ସେତେବେଳେ ଏନ୍‌ସିବି ରାଡାର୍‌ରେ ଅନେକ ବଡ ବଡ ସେଲେବ୍ରିଟି ଆସିଥିଲେ। ସେଥିମଧ୍ୟରୁ ଜଣେ ଥିଲେ କମେଡି କୁଇନ୍ ଭାରତୀ ସିଂହ।

ଭାରତୀ ଓ ହର୍ଷଙ୍କ ଘରେ ଏନ୍‌ସିବି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ୮୬.୫୦ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା। ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଥିଲେ। ଏହାପରେ ଉଭୟଙ୍କୁ ଏନ୍‌ଡିପିସି ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଥିଲା। ପରେ ଉଭୟ ଏହି ମାମଲାରେ ଜାମିନ ପାଇଥିଲେ।