
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୪ ଦିନ ପରେ ଏପର୍ଯ୍ୟନ୍ତ ୧୧୯ ଜଣ ମୃତକଙ୍କୁ ଡିଏନ୍ଏ ମେଳ ମାଧ୍ୟମରେ ଚିହ୍ନଟ କରାଯାଇଛି ଏବଂ ୭୬ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାର୍ଥିବ ଶରୀରକୁ ମଧ୍ୟ ଡିଏନ୍ଏ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇ ସୋମବାର ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ରାଜକୋଟରେ ରୂପାନୀଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ରୂପାନୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ରାମନାଥପଡ଼ା ଶ୍ମଶାନରେ ଶେଷକୃତ୍ୟ ସମୟରେ ରୂପାନୀଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା। ବିମାନ ଦୁର୍ଘଟଣାରେ ମୃତକଙ୍କ ପରିଚୟ ଜାଣିବା ପାଇଁ କର୍ତ୍ତୃପକ୍ଷ ଡିଏନ୍ଏ ପରୀକ୍ଷା କରୁଛନ୍ତି। ଅହମଦାବାଦ ସିଭିଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନରେ ଥିବା ବ୍ୟକ୍ତି ଏବଂ ସ୍ଥଳଭାଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମେତ ୨୫୦ ଜଣ ମୃତକଙ୍କ ନମୁନା ସଂଗ୍ରହ କରାଯାଇଛି।