
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସର୍ଭିକାଲ ଆଥ୍ରାଇଟିସ ସମସ୍ୟାରେ ପୀଡ଼ିତ ନବୀନ। ଚିକିତ୍ସା ପାଇଁ ଯିବେ ମୁମ୍ବାଇ। ୨୨ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ। ଏନେଇ ନବୀନ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ।
ତାଙ୍କ ପୋଷ୍ଟରେ ନବୀନ କହିଛନ୍ତି, “ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ଚଳିତ ମାସ ୨୨ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ ଆର୍ଥ୍ରାଇଟିସ ପାଇଁ ଏକ ଚିକିତ୍ସା ପ୍ରକ୍ରିୟାରେ ରହିବି । ମୋର ବ୍ୟକ୍ତିଗତ ଚିକିତ୍ସିକ ଡାକ୍ତର ରାମାକାନ୍ତ ପଣ୍ଡା ମୁମ୍ବାଇରେ ଏହି ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୋର ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ସହିତ, ମୁଁ ଶୀଘ୍ର ସୁସ୍ଥ ହୋଇ ଆପଣ ସମସ୍ତଙ୍କ ସେବା ପାଇଁ ଫେରି ଆସିବାକୁ ଆଶା କରୁଛି” ନବୀନ ଦିନେ ଦୁଇଦିନ ମଧ୍ୟରେ ମୁମ୍ବାଇ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି । ତେବେ ନବୀନଙ୍କ ସମସ୍ୟା ନେଇ ଆଉ କୌଣସି ବିସ୍ତୃତ ସୂଚନା ମିଳିପାରିନାହିଁ |
ନବୀନଙ୍କ ଅନୁପସ୍ଥିତିରେ ଦଳ ସମ୍ଭାଳିବ ବିଜେଡିର ରାଜନୈତିକ ବ୍ୟାପାର କମିଟି (PAC) । ଏହାସହିତ ମୁଖ୍ୟାଳୟ ଦାୟିତ୍ୱରେ ଥିବା ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଦଳର ବିଭିନ୍ନ ସାମୁଖ୍ୟ ଏବଂ କାର୍ଯ୍ୟକ୍ରମର ସଂଯୋଜକ ଭାବେ କାମ କରିବେ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ନବୀନ ପୀଡିତ ଥିବା ଏହି ସର୍ଭିକାଲ ଆର୍ଥ୍ରାଇଟିସ ହେଉଛି ବେକ ବା ଗଳାରେ ଥିବା ମେରୁଦଣ୍ଡର ହାଡ଼ ଓ ଗଣ୍ଠିଗୁଡ଼ିକରେ କ୍ଷୟ ହେବା ଦ୍ୱାରା ଯନ୍ତ୍ରଣା ଅନୁଭବ ହେବା । ଏହାର ଚିକିତ୍ସାରେ ଔଷଧ, ଫିଜିଓଥେରାପି, ଏବଂ କିଛି କ୍ଷେତ୍ରରେ ଅସ୍ତ୍ରୋପଚାର ବା ସର୍ଜରୀ ଆବଶ୍ୟକ ହୋଇଥାଏ ।