କମର କସୁଛି କଂଗ୍ରେସ

ସତ୍ୟପାଠ ବ୍ୟୁରୋ : କଂଗ୍ରେସରେ ହୋଇପାରେ ବଡ ଧରଣର ପରିବର୍ତ୍ତନ । ଅଧ୍ୟକ୍ଷ ପଦ ଛାଡିବେ ରାହୁଲ ଗାନ୍ଧୀ । ତେବେ ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ନହୋଇ ପାରନ୍ତି ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ବରଂ ଦଳରେ ଦୁଇଜଣ ସଭାପତି ରହିବା ନେଇ ବିଚାରବିମର୍ଷ କରାଯାଉଥିବା କୁହାଯାଉଛି ।

ନିର୍ବାଚନୀ ବିପର୍ଯ୍ୟୟକୁ ପାଖରୁ ଦେଖିଥିବା କଂଗ୍ରେସ ଅଧ୍ୟକ୍ଷ ଏହାର କାରଣ ଖୋଜୁଛନ୍ତି । ତାଙ୍କ ନେତୃତ୍ୱ ପାଇଁ ଦଳ ବିଜୟୀ ହୋଇ ପାରିଲା ନାହିଁ ବୋଲି କହି ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି । ଯଦିଓ କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା ତଥାପି ରାହୁଲଙ୍କ ମନ ମାନୁନି । ସାଂଗଠାନିକ ସ୍ତରରେ ପରିବର୍ତ୍ତନ ପାଇଁ ଘମାସନ ବୈଠକ କରୁଥିବା କୁହାଯାଉଛି ।

ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ଅଧ୍ୟକ୍ଷା ହେବାକୁ ଚାହୁଁ ନାହାଁନ୍ତି ପ୍ରିୟଙ୍କା ଗାନ୍ଧୀ । ସୋନିଆଙ୍କ ସ୍ୱାସ୍ଥାବସ୍ଥା ବି ଭଲ ନାହିଁ । ଏମିତିକି ଆଗାମୀ ଦିନରେ ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ପଦରେ ରହି ନପାରନ୍ତି । ତେଣୁ ଦୁଇଜଣ ବରିଷ୍ଠ ନେତାଙ୍କୁ ସଭାପତି ପଦ ଦିଆଯାଇପାରେ ।

ସଭାପତି ରେସରେ ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗେହଲଟ ଓ ସୁଶୀଲ ସିନ୍ଦେଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ଯୁବକଂଗ୍ରେସ ଅଧ୍ୟକ୍ଷ ଦୌଡରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟଙ୍କ ନାଁ ବି ଯୋଡା ଯାଉଛି । ଖୁବ କମ ଦିନ ଭିତରେ କଂଗ୍ରେସ ପରିବାରରୁ ଏକ ବଡଖବର ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।

Related Posts