ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ରାସ୍ତା ମଝିରେ ଧାରଣାରେ ବସିଲେ ଅଖିଳେଶ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ଏହି ଅବସରରେ ବିରୋଧ ପ୍ରଦର୍ଶନ ପାଇଁ ବିଧାନସଭା ଅଭିମୁଖେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବଙ୍କ ବିଶାଳ ପଦଯାତ୍ରା ଆରମ୍ଭ ହେବା କ୍ଷଣି ବନ୍ଦ କରାଯିବାରୁ ସେ ଧାରଣାରେ ବସିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ଅଖିଳେଶ ଦଳର ମୁଖ୍ୟାଳୟ ନିକଟରେ ଥିବା ରାସ୍ତା ମଝିରେ ଧାରଣା ଦେଇଛନ୍ତି।ସାମ୍ବାଦିକମାନଙ୍କୁ ଅଖିଳେଶ କହିଛନ୍ତି, ‘ବିଜେପି’ ସରକାର ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ। ସରକାର ଆମକୁ ବିଧାନସଭାକୁ ଯିବା ପାଇଁ ଅନୁମତି ଦେଲେନାହିଁ। ‘ବିଜେପି’ ବିଧାୟକ ଅରବିନ୍ଦ ଗିରିଙ୍କ ଶୋକସଭାରେ ଯୋଗ ଦେବାକୁ ମଧ୍ୟ ସରକାର ଆମକୁ ଅନୁମତି ଦେଲେନାହିଁ।

ଉଲ୍ଲେଖଯୋଗ୍ୟ, ‘ବିଜେପି’ର ଅରାଜକତା, ମୁଦ୍ରାସ୍ଫୀତି ଓ ବେକାରୀ ବିରୋଧରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶଙ୍କ ବିଶାଳ ପଦଯାତ୍ରା ବନ୍ଦ ହେବା ପରେ ଦଳର ସଦସ୍ୟମାନେ ଧାରଣାସ୍ଥଳରେ ‘ବିଜେପି’ ବିଧାୟକ ଅରବିନ୍ଦ ଗିରିଙ୍କ ପାଇଁ ଶୋକସଭା କରିଛନ୍ତି।ଆଜି ଉତ୍ତର ପ୍ରଦେଶ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ‘ସମାଜବାଦୀ ପାର୍ଟି’ର ଏହି ପ୍ରତିବାଦ ପଦଯାତ୍ରାରେ ୧୦୦ରୁ ଅଧିକ ବିଧାୟକ ଓ ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ। ପଦଯାତ୍ରାରେ ଯିବା ବେଳେ ଅଖିଳେଶ ଯାଦବ ଶାସକ ଦଳ ବିରୋଧରେ ଲେଖାଥିବା ବ୍ୟାନର୍‌ ଧରିଥିଲେ। କିନ୍ତୁ, ପଦଯାତ୍ରା ପାଇଁ ଅନୁମତି ନ ମିଳିବାରୁ ୧୧୧ଜଣ ବିଧାୟକ ଓ ୯ ବିଧାନ ପରିଷଦ୍‌ ସଦସ୍ୟ ସ୍ବଳ୍ପ ସମୟ ଧାରଣାରେ ବସି ମୁଖ୍ୟାଳୟକୁ ଫେରିଯାଇଛନ୍ତି।

ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଣତାନ୍ତ୍ରିକ ପଦ୍ଧତିରେ କୌଣସି ଦଳ କିଛି ପଚାରିଲେ କୌଣସି କ୍ଷତି ନାହିଁ। କାହାରି କ୍ଷତି ନ ହେଲା ଭଳି କୌଣସି ଶୋଭାଯାତ୍ରା ବାହାର କରିବା ଲାଗି ସମାଜବାଦୀ ପାର୍ଟି ଅନୁମତି ନେବା ଉଚିତ। ସେପଟେ ଅଖିଳେଶଙ୍କ ଶୋଭାଯାତ୍ରାକୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଗୋଟାଏ ଫଟୋଉଠା ଅବସର ବୋଲି କହିଛନ୍ତି।

Related Posts