‘ବିଜେପି ଓ କଂଗ୍ରେସ ଉଭୟ ସମାନ’: ଭାରତ ଯୋଡ଼ୋ ଯାତ୍ରାକୁ ନେଇ କହିଲେ ଅଖିଳେଶ ଯାଦବ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ସବୁ ସ୍ଥାନରେ ଚର୍ଚ୍ଚାରେ ଥିବା ବେଳେ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ମତ ଦେଇ ସେ କହିଛନ୍ତି ଯେ, ଆମ ଦଳର ସ୍ବତନ୍ତ୍ର ବିଚାରଧାରା ରହିଛି। ବିଜେପି ଓ କଂଗ୍ରେସ ଉଭୟ ହେଉଛନ୍ତି ସମାନ।

ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଅଖିଳେଶଙ୍କୁ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଯଦି ଏହି ଯାତ୍ରାରେ ସାମିଲ ହେବା ପାଇଁ ଆପଣଙ୍କୁ ନିମନ୍ତ୍ରଣ ଆସେ ଆପଣ ଯାତ୍ରାରେ ଯୋଗ ଦେବେକି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି ଯେ, ଯଦି ଆପଣଙ୍କ ପାଖକୁ ସେମିତି କିଛି ନିମନ୍ତ୍ରଣ ଆସେ ତେବେ ମୋ ପାଖକୁ ପଠାଇ ଦେବେ।

ତେବେ ଆସନ୍ତା ଜାନୁଆରି ୩ ତାରିଖରେ ଭାରତ ଯୋଡ଼ୋ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏନେଇ ଅଖିଳେଶ କହିଛନ୍ତି ଯେ, ଆମର ଭାବାବେଗ ତାଙ୍କ ସହ ଅଛି। ଏପର୍ଯ୍ୟନ୍ତ ମୁଁ କୌଣସି ନିମନ୍ତ୍ରଣ ପାଇ ନାହିଁ। ଏମିତିକି ଏହି ଯାତ୍ରା ପାଇଁ କେବଳ ସମାଜବାଦୀ ପାର୍ଟି ନୁହଁ ବରଂ ବହୁଜନ ସମାଜବାଦୀପାର୍ଟିକୁ ମଧ୍ୟ ନିମନ୍ତ୍ରଣ କରାଯାଉ ଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଥିବା ସେ କହିଛନ୍ତି।

ତେବେ ଭାରତଯୋଡ଼ ଯାତ୍ରାରେ ସାମିଲ ହେବା ପାଇଁ ସମାଜବାଦୀ ପାର୍ଟି ଓ ବହୂଜନ ସମାଜବାଦୀ ପାର୍ଟିକୁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିବା ନେଇ ଆଲୋଚନା ଭିତରେ ଅଖିଳେଶଙ୍କ ଏଭଳି ବୟାନ ସମ୍ପୁର୍ଣ୍ଣ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି। ସେପଟେ ବସପା ମୁଖ୍ୟ ମାୟାବତୀ ମଧ୍ୟ ଏହି ଯାତ୍ରାରେ ସାମିଲ ହେବା ନେଇ କୌଣସି ସମ୍ଭାବନା ନଥିବା ଆଲୋଚନା ହେଉଛି। ଏମିତିକି ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିଥିବା ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଏହି ଯାତ୍ରାରେ ସାମିଲ ହେବାର ସମ୍ଭାବନା ନଥିବା ଜଣାପଡ଼ିଛି।

Related Posts