ଗୁଜୁରାଟରେ ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି

ଅହମଦାବାଦ: ଗୁଜରାଟରେ ତାଣ୍ଡବ ରଚିଛି ବିଷାକ୍ତ ମଦ । ଫଳରେ ବୃଦ୍ଧି ପାଇବାରେ ଲାଗିଛି ମୃତକଙ୍କ ସଂଖ୍ୟା । ତେବେ ଆଗକୁ ମଧ୍ଯ ଆହୁରି ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଂକା ପ୍ରକାଶ ପାଇଛି। ଅନେକ ବର୍ଷରୁ ଗୁଜରାଟ ରେ ମଦ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହାରି ଭିତରେ ରାଜ୍ୟରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଥିବା ବେଳେ ହସ୍ପିଟାଲରେ ଏବେ ବି ୫୬ ଜଣ ଚିକିତ୍ସିତ ହେଉଛନ୍ତି ।

ଗୁଜରାଟର ବୋଟାଦ ଜିଲ୍ଲାର ବୁଟଲେଗରେ ବିଷାକ୍ତ ମଦ ପିଇବା ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ପୋଲିସ ଏହି ମାମଲାକୁ ବିଷାକ୍ତ ମଦ ମୃତ୍ୟୁ ଭାବେ ରୁଜୁ କରିବାକୁ ଅରାଜି । ବିଷାକ୍ତ ରସାୟନ ମିଶ୍ରଣ ଯୋଗୁଁ ଏହି ଘଟଣା ଘଟିଥିବା ପୋଲିସ କହୁଛି । ଅନ୍ୟପଟେ ଆମ ଆଦାମୀ ପାର୍ଟି ଏବଂ କଂଗ୍ରେସ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା ମଦ ବନ୍ଦ ନାଁକୁ ମାତ୍ର ବୋଲି କହିଛନ୍ତି।

ବିଷାକ୍ତ ମଦ ପିଇ ଏବେ ବି ପ୍ରାୟ ୫୬ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କୁ ଗୁଜରାଟର ଅହମଦନଗର, ଧନ୍ଧୁଆ, ଭାବନଗର, ବରଭାଲା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ଉପରେ ଚାରି ଜିଲ୍ଲାର ୧୬ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁଜରାଟ ସହ ସାରା ଦେଶରେ ବିତର୍କ ସୃଷ୍ଟି କରିଥିବା ଏହି ଘଟଣା ସୋମବାର ରାତିରେ ଘଟିଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ଏଟିଏସ ଟିମ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି ।

ଅନ୍ୟପଟେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମିଥାଇଲ ଆଲକହଲ ଥିବା କଥା ସାମ୍ନାକୁ ଆସିଛି । ରାଜ୍ୟ ପୋଲିସ ଡିଜି ଆଶୀଷ ଭାଟିଆ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଜୟେଶ ୪୦ ହଜାର ଟଙ୍କାରେ ଏହି ରସାୟନ ବିକ୍ରି କରିଥିବା ସ୍ୱୀକାର କରିଛି । ସମସ୍ତେ କେମିକାଲ ଏବଂ ପାଣିର ମିଶ୍ରଣ ପିଇଥିଲେ। ପୋଲିସ ଡିଜି ଏହା ମଧ୍ୟ ଦାବି କରିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଜୟେଶ ଏହି କେମିକାଲ ପିଇବା ଦ୍ୱାରା ମୃତ୍ୟୁ ହୋଇଥାଏ ବୋଲି ଜାଣିଥିଲା।

ମୁଖ୍ୟ ଅଭିଯୁକ୍ତ ଅହମଦାବାଦ ସ୍ଥିତ ଅମୋସ କେମିକାଲ କମ୍ପାନିରୁ ଏହି କେମିକାଲ ଚୋରି କରିଥିଲା । ଚୋରି ସମୟର ସିସିଟିଭି ଫୁଟେଜ ପୋଲିସ ପାଇଛି । ଏଥିରେ ମୋଟ ୬୦୦ ଲିଟର ତରଳ ଥିଲା। ବର୍ତ୍ତମାନ ୪୬୦ ଲିଟର ତରଳ ଜବତ କରାଯାଇଛି। ଏହାର ନମୂନାକୁ ଏଫଏସଏଲ ପଠାଯାଇଛି ବୋଲି ଡିଜିପି କହିଛନ୍ତି ।

ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି । କମିଟି ୨୪ ଘଣ୍ଟା ଭିତରେ ବିଷାକ୍ତ ମଦ ମାମଲାରେ ରିପୋର୍ଟ ଦାଖଲ କରିବ। ଅନ୍ୟପଟେ ଏହାକୁ ନେଇ ବିରୋଧୀ ମଧ୍ୟ ରାଜ୍ୟର ବିଜେପି ସରକାରକୁ ଘେରିଛନ୍ତି । ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ପୀଡିତଙ୍କ ପରିବାରକୁ ଭେଟିବାକୁ ଯିବେ ବୋଲି ଘୋଷଣା କରିଛନ୍ତି ।

Related Posts