ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା ବାଲଟ ବକ୍ସ ସହିତ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା ବାଲଟ ବକ୍ସ ସହିତ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ । ସେପଟେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପଠାଯାଇଥିବା ସମସ୍ତ ସାମଗ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଏହାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍କୁ ନିଆଯାଇଛି। ସେଠାରେ ୨୪ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଏହାକୁ ରଖାଯାଇଛି। ଅନ୍ୟପଟେ ମଙ୍ଗଳବାର ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଧାନସଭାର ପ୍ରଥମ ମହଲାର ୫୪ ନଂ ପ୍ରକୋଷ୍ଠରେ ଜୁଲାଇ ୧୮ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର‌୍ୟ୍ୟନ୍ତ ନିର୍ବାଚନ ହେବ ବୋଲି କୁହାଯାଇଛି। ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ୍ ଦେବେ। ଯଦି କୌଣସି ସାଂସଦ ଏଠାରେ ଭୋଟ୍ ଦେବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ଆଣିଥିବେ ତେବେ ସେମାନେ ପ୍ରିଜାଇଡିଂ ଅଫିସରଙ୍କୁ ଅନୁମତି ପତ୍ର ଦେଖାଇ ଧାର‌୍ୟ୍ୟ ସମୟ ମଧ୍ୟରେ ଭୋଟ୍ ଦେଇପାରିବେ ବୋଲି କୁହାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts