
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କୋଭିଡ୍-୧୯ ମହାମାରୀ ସଙ୍କଟ ମଧ୍ୟରେ ଆସନ୍ତା ଜୁନ ୧ ରୁ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଆଜି ଏନେଇ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକ ଜୁନ ପହିଲାରୁ ଖୋଲିବ । ଓଡ଼ିଶାରେ କରୋନା ମହାମାରୀ ଦ୍ୱିତୀୟ ଲହରରେ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ତତ୍କାଳ ପ୍ରଭାବରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା । ତେବେ ଆଜି ଉଚ୍ଚଶିକ୍ଷା ସଚିବ ଲେଖିଥିବା ଚିଠି ଅନୁଯାୟୀ ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ଏପ୍ରିଲ ୧୬ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ହେବ।

ଅନ୍ୟପଟେ ରାଜ୍ୟରେ କରୋନା ଗ୍ରାଫ୍ ଅପେକ୍ଷାକୃତ ହ୍ରାସ ପାଇଛି । କିନ୍ତୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉ ନାହିଁ। ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ମେ ୩୧ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଲକଡାଉନ୍ ଏବଂ ସପ୍ତାହନ୍ତ ସଟଡାଉନ୍ ଭଳି କଡା କଟକଣା ଲାଗୁ କରିଛନ୍ତି।