ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ରିଭ୍ୟୁ ମିଟିଂକୁ ବୟକଟ କଲେ ମମତା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କରାେନା ସହ ସାରା ଦେଶ ଲଢ଼ୁଥିବା ବେଳେ ସାଇକ୍ଲୋନ ୟାସ୍ ବିଶେଷ କରି ଓଡିଶା ଓ ପଶ୍ଚିମବଙ୍ଗରେ ତାର କରାଳ ରୂପ ଦେଖାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟାସ୍‌ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍‌ ସର୍ଭେ କରିବା ପାଇଁ ଉଭୟ ରାଜ୍ୟକୁ ଗସ୍ତ କରିଥିଲେ । ତେବେ ସବୁଠାରୁ ରୋଚକ କଥାଟି ହେଉଛି ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାର ବେସ୍‌ରେ ହୋଇଥିବା ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନସଚିବ ପ୍ରାୟ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ । କେବଳ ଏତିକି ନୁହେଁ ବରଂ ବୈଠକରେ ପହଞ୍ଚିବା ମାତ୍ରେ ମମତା ବାନାର୍ଜୀ ବାତ୍ୟା ସହ ଜଡିତ ସମସ୍ତ ତଥ୍ୟ ପ୍ରଦାନ କରି ଅନ୍ୟ ବୈଠକର ଆଳ ଦେଖାଇ ସଭା ଛାଡ଼ି ପଳାଇଥିଲେ।

ବାସ୍ ଏହା ପରେ ସାରା ଦେଶରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅନ୍ୟପଟେ ମମତା ବାନାର୍ଜୀଙ୍କ ଏପରି ଆଭିମୁଖ୍ୟକୁ ସହଜରେ ହଜମ କରିପାରି ନାହାଁନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନାଡା । ଏନେଇ ମମତା ବାନାର୍ଜୀଙ୍କୁ କଠୋର ସମାଲୋଚନା କରିଛନ୍ତି । ତେବେ ମମତାଜୀ ଲୋକଙ୍କ କଲ୍ୟାଣ ପାଇଁ ନିଜର ଇଗୋକୁ ଅଲଗା କରିବା ଉଚିତ୍ ବୋଲି ସିଧାସଳଖ ମମତାଙ୍କୁ କହିଛନ୍ତି । ଏହା ସହ ମମତା ବାନାର୍ଜୀଙ୍କ ବିଳମ୍ବରେ ଆସିବା ସାମ୍ବିଧାନିକ ନୈତିକତା ଏବଂ ସହଯୋଗୀ ସଂଘୀୟ ସଂସ୍କୃତି ବିରୁଦ୍ଧ ଅଟେ ବୋଲି କହିଛନ୍ତି । କେବଳ ଏତିକିରେ ଚୁପ୍ ନ ହୋଇ ଜେପି ନାଡ୍ଡା ପଶ୍ଚିମବଙ୍ଗ ରାଜନୀତିରେ ଲୋକମାନେ ପୁଣିଥରେ ହନ୍ତସନ୍ତ ହେବା ପାଇଁ ଯାଉଛନ୍ତି ବୋଲି କହିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଯଦି ଘଟଣାର ସମୀକ୍ଷା କରିବାପାଇଁ ଯାଇଛନ୍ତି ତାହାଲେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସହଯୋଗ କରିବା ଉଚିତ୍ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି । କେବଳ ମମତା ବାନାର୍ଜୀଙ୍କ ଏପରି ଆଭିମୁଖ୍ୟକୁ ଜେପି ନାଡ୍ଡା ନିନ୍ଦା କରିନାହାଁନ୍ତି ବରଂ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଉପସ୍ଥିତ ଥିବା ରାଜ୍ୟପାଳ ମଧ୍ୟ ଏହାକୁ କଠୋର ନିନ୍ଦା କରିଛନ୍ତି । ତେବେ ବିରୋଧୀ ମନୋଭାବ ରାଜ୍ୟ ଓ ଗଣତନ୍ତ୍ର ପାଇଁ ବଡ଼ ବିପଦ ବୋଲି ରାଜ୍ୟପାଳ କହିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ସାମ୍ବିଧାନିକତା ଏବଂ ଆଇନ ବିରୋଧରେ ଅଟେ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗରେ ହୋଇଥିବା ସମୀକ୍ଷା ବୈଠକରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଥିବା ଆମନ୍ତ୍ରଣ ଯୋଗୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖପ୍ପା ହୋଇଯାଇଥିବାର ଅନୁମାନ କରାଯାଉଛି ବୋଲି ରାଜ୍ୟପାଳ ଜଗଦୀପ ଧଙ୍କର୍ କହିଛନ୍ତି । ସାରା ଦେଶରେ ବର୍ତ୍ତମାନ ମମତା ବାନାର୍ଜୀଙ୍କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ମମତା ଏହାର କାରଣ ଦର୍ଶାଇ ସେ ହିଙ୍ଗାଲଗଞ୍ଜ ଏବଂ ସାଗରରେ ସମୀକ୍ଷା ବୈଠକ ସାରିବା ପରେ ସେ କାଲାଇକୁଣ୍ଡାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି କହିଛନ୍ତି । ଏହ ସହ ପ୍ରଧାନମନ୍ତ୍ରୀଙ୍କୁ ଡବ୍ଲୁବିରେ ସାଇକ୍ଲୋନ୍ ପରିସ୍ଥିତି ବିଷୟରେ ଅବଗତ କରାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ବିପର୍ଯ୍ୟୟ ରିପୋର୍ଟ ହସ୍ତାନ୍ତର କରାଇଥିବାର କଥା କହିଛନ୍ତି । ତେବେ ସାଇକ୍ଲୋନ୍ ୟାସରେ ଅଧିକ ପ୍ରଭାବିତ ହୋଇଥିବା ଦିଘାରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ପାଇଁ ଗସ୍ତ କରିଥିଲେ ବୋଲି ମମତା ବାନାର୍ଜୀ ଜବାବରେ କହିଥିଲେ । ଏହା ସହ ଦିଘାର ବିକାଶ ପାଇଁ ୨୦ ହଜାର କୋଟି ଓ ସୁନ୍ଦରବନର ବିକାଶ ପାଇଁ ୧୦ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କୁ ମାଗିଥିଲେ । ବାସ୍ତବରେ ଯଦି ଦେଖାଯାଏ ତେବେ ପଶ୍ଚିମବଙ୍ଗ ନିର୍ବାଚନ ସରି ଅନେକ ଦିନ ହେଲାଣି ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ରହିଥିବା ମମତା ବାନାର୍ଜୀଙ୍କ ଅସନ୍ତୋଷ ଦୂର ହୋଇ ନାହିଁ ବୋଲି ଏଥିରୁ ଅନୁମାନ କରାଯାଉଛି । ସାଇକ୍ଲୋନ୍ ୟାସରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ମିଶାଇ ମୋଟ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଟ ୧ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶା ପାଇଁ ୫ଶହ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ବାକି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଛି। ଏହା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତରଙ୍କ ୫୦ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

Related Posts