ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଅଧସ୍ତନ ନୁହନ୍ତି : ମମତାଙ୍କୁ ଅପମାନିତ କରିବା ଚାଲ୍ ରେ ନିଜେ ଫସିଗଲେ ମୋଦି

କେଦାର ମିଶ୍ର

କିଛି ଲୋକଙ୍କୁ ମମତା ବାନାର୍ଜୀଙ୍କ ଆଚରଣ ବହୁତ ବାଧୁଛି। ବାବୁ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭିତରେ ଅନୁଷ୍ଠିତ କେଉଁ ସମୀକ୍ଷା ବୈଠକକୁ ବିରୋଧିଦଳ ନେତାଙ୍କୁ ଡକାଯାଏ? କେବେ କୌଣସି ସଭାରେ ପ୍ରଧାନମନ୍ତ୍ରୀ ବିରୋଧିଦଳ ନେତାଙ୍କୁ ସାଙ୍ଗରେ ବସାଇ ସମୀକ୍ଷା କରିଛନ୍ତି? ଓଡିଶାରେ ଯେଉଁ ସମୀକ୍ଷା ବୈଠକ ହେଲା, ସେଥିରେ ବିରୋଧୀ ଦଳ ନେତା ଥିଲେ କି? କେହି କେହି କହିପାରନ୍ତି, ଓଡିଶା ବିରୋଧୀ ଦଳ ନେତା ଅସୁସ୍ଥ। ତା ହେଲେ ଉପନେତାଙ୍କୁ ଡ଼ାକିଥିଲ କି? ନା, ଏଠି ନବୀନ ବାବୁଙ୍କୁ ନାରାଜ କରିବା ସମ୍ଭବ ନୁହେଁ। ଯେଉଁଠି ବିଜେପି ବିରୋଧୀ ଦଳରେ ନାଇଁ, ସେଠି କଂଗ୍ରେସର ବିରୋଧୀ ଦଳ ନେତାଙ୍କୁ ସରକାରୀ ସମୀକ୍ଷା ବୈଠକକୁ ପ୍ରଧାନମନ୍ତ୍ରୀ ଡାକନ୍ତି କି? ମମତାଙ୍କୁ ଅପମାନିତ କରିବା ଭାରି ସହଜ। ସେଠି ନିର୍ବାଚନ ହାରିବା ପରଠୁ ଆଇନ ଓ ସମ୍ବିଧାନକୁ ନେଇ ଗୋଟେ ଖେଳ ଚାଲିଛି। ସତେ ଯେମିତି ମମତା ବାନାର୍ଜୀ କେନ୍ଦ୍ରର କିଣା ଚାକର!! ସୌଜନ୍ୟ କହୁଛି, ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସମୀକ୍ଷା ବୈଠକର ଏଜେଣ୍ଡା ସ୍ଥିର କରିବେ। କାରଣ ରାଜ୍ୟର ବିପର୍ୟୟ ପରିଚାଳନା ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏ ଦେଶର ଗୃହମନ୍ତ୍ରୀ କଦର୍ୟ ରୁ କଦର୍ୟ ଭାଷା ପ୍ରୟୋଗ କଲେ ସମ୍ବିଧାନ ଅଶୁଦ୍ଧ ହୁଏନାହିଁ। ଏ ଦେଶର ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଅଣଦେଖା କରି ସିଧା ଜିଲାପାଳମାନଙ୍କ ସାଙ୍ଗେ ସମୀକ୍ଷା କଲେ ସଙ୍ଘୀୟ ବ୍ୟବସ୍ଥା ଉଲ୍ଲଂଘନ ହୁଏନି। ହେଲେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପଛେ ପଛେ ନ ବୁଲିଲେ ଭକ୍ତମାନଙ୍କୁ ବାଧିଯାଏ।

ମମତା ବାନାର୍ଜୀ ଆଜି ସ୍ପଷ୍ଟ କରିଦେଲେ ଯେ ସଙ୍ଘୀୟ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଅଧସ୍ତନ ନୁହନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ କାମ କରିବାକୁ ବାଧ୍ୟ ନୁହନ୍ତି। ବହୁ ଭକ୍ତଙ୍କୁ ଏହା ଅଶୋଭନୀୟ ଦିଶୁଛି। ସେମାନଙ୍କୁ ଆମର ଅନୁରୋଧ, ସେମାନେ ପ୍ରଧାନମନ୍ତ୍ରୀଙ୍କ “ଦିଦି ଓ ଦିଦି” ର ସେ ଶୋଭନୀୟ ବାକ୍ୟ ସବୁ ଶୁଣନ୍ତୁ। ଆହୁରି ମଧ୍ୟ ନେତାଜୀ ସ୍ମୃତି ସଭାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ କେମିତି ଅପମାନିତ କରା ଯାଇଥିଲା ସେ ଦୃଶ୍ୟ ମଧ୍ୟ ଦେଖନ୍ତୁ। ଆହୁରି ବି “ପୋଡା ଟ୍ରାନ୍ସଫର୍ମର” କିମ୍ବା “ଉଖାଡ କେ ଫେକ ଦୋ” ଭଳି ଶୋଭନୀୟ ଭାଷଣ ମଧ୍ୟ ଶୁଣନ୍ତୁ। ଏ ଦେଶ ଆଜି “ୟେସ ପ୍ରାଇମ ମିନିଷ୍ଟର” କହୁଥିବା ମୁଖ୍ୟମନ୍ତୀମାନଙ୍କୁ ଆଦୌ ଦରକାର କରୁନି। ମମତା ବାନାର୍ଜୀ ଲୋକଙ୍କ ଦ୍ଵାରା ନିର୍ବାଚିତ ନେତ୍ରୀ। ସେ ନରେନ୍ଦ୍ର ମୋଦୀଙ୍କ ଅଧସ୍ତନ ନୁହନ୍ତି।

( ଏହି ଲେଖାଟି ବରିଷ୍ଠ ସାମ୍ୱାଦିକ କେଦାର ମିଶ୍ରଙ୍କ ଫେସବୁକ୍ ରୁ ସଂଗ୍ରୃହିତ। ଲିଖିତ ସମସ୍ତ ମତାମତ ଲେଖକଙ୍କ ନିଜସ୍ୱ ବିଚାର।)

Related Posts