(ସତ୍ୟପାଠ ବ୍ୟୁରୋ)ନୂଆଦିଳ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ ବା ବୁଥ ବାହୁଡ଼ା ମତ ସଫା ସଫା କହୁଛି ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟିର ସରକାର ହେବ । ପୁଣି ଥରେ ପ୍ରଚଣ୍ଡ ବହୁମତ ସହ ମୁଖ୍ୟମନ୍ତ୍ରୀ ହେବେ କେଜରିୱାଲ । ଯଦି Exit Poll ସତ ହୁଏ ତେବେ ଏହା ଦ୍ବାରା ଲୋକମାନେ ପ୍ରମାଣ କରିଦେଲେ ଯେ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି କେବଳ ବିକାଶ ଆଉ ବିକାଶ ।

  1. ଦିଲ୍ଲୀ ନିର୍ବାଚନରେ କାମ କଲାନି ବିଜେପିର ରଣନୀତି

  2. ଦିଲ୍ଲୀର ଲୋକେ ବିକାଶକୁ କଲେ ନିଜର ମୁଦା

  3. Exit Pollରେ ପୁଣି ଥରେ କେଜରିୱାଲ ସରକାର

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିସାରିଛନ୍ତି ଭୋଟର । ଶନିବାର ସକାଳ 8ଟାରୁ ସଂଧ୍ୟା 6ଟା ଯାଏ ଦିଲ୍ଲୀର 70 ଆସନରେ  ପ୍ରାୟ 67 ପ୍ରତିଶତ ମତଦାନ ହୋଇଛି । 11ରେ ଆସିବ ନିର୍ବାଚନ ଫଳାଫଳ । ଦିଲ୍ଲୀରେ ନିର୍ବାଚନ ପ୍ରଚାର ବେଳେ ରାଜନୈତି ଦଳଗୁଡ଼ିକ ନିର୍ବାଚନୀ ଲହର ନିଜ ପକ୍ଷକୁ ନେବାକୁ ବହୁ ପ୍ରସଙ୍ଗ ଉଠାଇଲେ ଏବଂ ବହୁ ନାରା ବି ଲଗାଇଲେ କିନ୍ତୁ Exit Pollର ଫଳାଫଳ କହୁଛି ଦିଲ୍ଲୀ ନିର୍ବାଚନରେ ସବୁ ବଡ଼ ପ୍ରସଙ୍ଗ ବିକାଶ ହିଁ ଥିଲା ।

ଆମ୍ ଆଦ୍‌ମି ପାର୍ଟି ଦିଲ୍ଲୀରେ ପୁନର୍ବାର କ୍ଷମତାରେ ରହିବ ବୋଲି ପୂର୍ବରୁ ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ଆଜି ସନ୍ଧ୍ୟାରେ ଆସିଥିବା ବୁଥ୍ ବାହୁଡା ମତରୁ ସ୍ପଷ୍ଟ ହୋଇଛି । ଦିଲ୍ଲୀବାସୀ ଧର୍ମ ଜାତିକୁ ନେଇ ରାଜନୀତି, ଅନ୍ୟକୁ କଟୁ ସମାଲୋଚନା ପରି କଥାକୁ ନାପସନ୍ଦ କରିଛନ୍ତି । ବିଜେପିର ରାମ ମନ୍ଦିର ରାଜନୀତି ହେଉ ବା ନେହେରୁ ବୁନିୟାଦକୁ ଗାଳି କରିବା ହେଉ, ରାଷ୍ଟ୍ରବାଦ ବା  ପାକିସ୍ତାନ ନାଁରେ ଚାଲ୍ ଆଉ କାମ ଦେବନି ବୋଲି ଆଜିର ବୁଥ୍ ବାହୁଡା ରିପୋର୍ଟରୁ ଜଣାପଡିଛି । ଦେଶର ବଛା ବଛା ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀର ୭୦ରି ବିଧାନସଭା କ୍ଷେତ୍ରର ତଥ୍ୟ ସଂଗ୍ରହ କରାଯାଇ ପ୍ରକାଶ କରାଯାଇଛି । ପ୍ରାୟତଃ ସମସ୍ତ ସଂସ୍ଥା ଆମ ଆଦମୀକୁ ଅନ୍ୟୁନ ୪୫ରୁ ଉର୍ଦ୍ଧ ଆସନରେ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି ।

ଦିଲ୍ଲୀ ଲୋକଙ୍କ ପାଇଁ କ’ଣ ଥିଲା ସବୁଠୁ ବଡ଼ ପ୍ରସଙ୍ଗ ?

ନିର୍ବାଚନ ବେଳେ ଦିଲ୍ଲୀ ଲୋକଙ୍କର ପ୍ରଥମ ପସନ୍ଦ ଥିଲା ବିକାଶ ମୁଦା । ଦ୍ବିତୀୟରେ ଦରଦାମ ବୃଦ୍ଧି ଓ ତୃତୀୟରେ ଥିଲା ବେରେଜଗାରୀ ପ୍ରସଙ୍ଗ । କୁହାଯାଉଛି ପ୍ରାୟ 37 ପ୍ରତିଶତ ଲୋକମାନେ ବିକାଶକୁ ଗୁରୁତ୍ବ ଦେଇଥିଲେ । 17 ପ୍ରତିଶତ ଦରଦାମ ବୃଦ୍ଧି ଓ 14 ପ୍ରତିଶତ ବେରୋଜଗାରୀକୁ ପ୍ରାଥମିକତା ଦେଇଛନ୍ତି । ରାଷ୍ଟ୍ରୀୟ ସୁରକ୍ଷାକୁ ମାତ୍ର 6 ପ୍ରତିଶତ ଲୋକ ପ୍ରାଥମିକତା ଦେଇଥିଲେ ।

ନିର୍ବାଚନରେ ପ୍ରସଙ୍ଗ ବାଛିବାରେ ଭୁଲ କରିଦେଲା ବିଜେପି

ଅନ୍ୟ ନିର୍ବାଚନ ଭଳି ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ବି ମୋଦି ସରକାରର କାମ ଏବଂ ରାଷ୍ଟ୍ରୀୟ ସୁରକ୍ଷାକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରିଥିଲା । ବିଜେପି ନେତାମାନେ ନିର୍ବାଚନୀ ପ୍ରଚାର ବେଳେ ସାହିନବାଗ, ସିଏଏ, ଏନ୍‌ଆରସି, ତିନ ତଲାକ, ପାକିସ୍ତାନ, ରାଷ୍ଟ୍ରଭକ୍ତି, ଦେଶ ଦ୍ରୋହ, ଧାରା 370, ସର୍ଜିକାଲ ଷ୍ଟ୍ରାଇକ୍ ଓ ଗଦାର ଭଳି ଅନେକ କଥା ଜନସମାବେଶରେ କହିଥିଲେ । କଥା ସମାବେଶରେ ସିମୀତ ନଥିଲା ଏହି କଥାକୁ ନେଇ ଟେଲିଭିଜନ ଡିବେଟ୍‌ ପ୍ରୋଗ୍ରାମରେ ବି ହୋହଲ୍ଲା କରିଥିଲେ ବିଜେପି ନେତା । କିନ୍ତୁ ଏହି କଥା ବା ପ୍ରସଙ୍ଗ ଲୋକଙ୍କ ସହ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ । ଏହି କାରଣରୁ Exit Pollରେ ଆପ୍‌କୁ ପ୍ରଚଣ୍ଡ ବହୁମତ ମିଳୁଥିବା ଏବଂ ଦିଲ୍ଲୀରେ ବିଜେପି  ବନବାସ ଆହୁରି 5 ବର୍ଷ ଅଧିକ ହେଉଥିବା ଜଣାପଡ଼ୁଛି ।

କାହିଁକି ବାଜି ମାରିଲେ କେଜରିୱାଲ ?

ଦିଲ୍ଲୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଅରବିନ୍ଦ କେଜରିୱାଲ ନିଜ ସରକାରର କାମ ଅର୍ଥାତ ବିକାଶ ଉପରେ ଫୋକସ କରିଥିଲେ । ସେ ସବୁବେଳେ କହୁଥିଲେ ଯେ ଏହି ନିର୍ବାଚନ କେବଳ କାମ ଉପରେ ଲଢ଼ୁଛି ଆପ୍, ଆଉ ଦିଲ୍ଲୀର ଲୋକେ କାମ ଉପରେ ଏଥର ଭୋଟ ଦେବେ । ଦିଲ୍ଲୀର ସରକାରର ମହୋଲ୍ଲା କ୍ଲିନିକ୍ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର କରିଥିଲେ କେଜରିୱାଲ । ଦିଲ୍ଲୀର ଗଳି କନ୍ଦିରେ ମହୋଲ୍ଲା କ୍ଲିନିକକୁ କେନ୍ଦ୍ର ସରକାରର ଆୟୁଷ୍ମାନ ଭାରତ ହେଲ୍ଥ କାର୍ଡଠାରୁ ଭଲ ବୋଲି ଲୋକଙ୍କୁ କହିଥିଲା ଆପ୍‌ । ଏହାଛଡ଼ା 200 ୟୁନିଟ୍‌ ମାଗଣା ବିଜୁଳି, ପ୍ରତିଦିନ 700 ଲିଟର ମାଗଣରେ ପାଣି ପାଇଁ ଦିଲ୍ଲୀ ସରକାରଙ୍କ କାମ ଲୋକଙ୍କୁ ଆପ୍‌ ଉପରେ ଭରସା କରିବା କାମ କରିଛି । ଏହା ସହ ଦିଲ୍ଲୀର ସରକାରୀ ବସରେ ମହିଳାଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ବି ଦିଲ୍ଲୀର ଅଧା ଲୋକଙ୍କୁ କେଜରିୱାଲଙ୍କ ଝାଢ଼ୁ ଚିହ୍ନରେ ବଟନ ଦବାଇବାକୁ ବାଧ୍ୟ କରିଥିବା କୁହାଯାଉଛି ।