ଅଣ୍ଡର 19 ବିଶ୍ୱକପ୍ ଚାମ୍ପିୟନ ଟ୍ରଫି: ବାଂଲାଦେଶ ଉପରେ ଭାରତର ପଲ୍ଲା ଭାରି, ଆଜି ଫାଇନାଲ ମୁକାବିଲା

୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପର ଆଜି ଫାଇନାଲ ମ୍ୟାଚ । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ୧୯ ବର୍ଷରୁ କମ୍ ବିଶ୍ୱକପ୍ ରେ ପଂଚମ ଥର ପାଇଁ ଟାଇଟଲ ହାସଲ କରିବାକୁ ଆଉ ଗୋଟିଏ ବିଜୟ ଦୂରରେ ରହିଛି ଭାରତୀୟ ଟିମ୍ । ଭାରତ ପୁରା ସିରିଜରେ ଅପରାଜୟ ରହିଥିବାରୁ ଏଥର ଟାଇଟଲ ଦାବିଦାର ବୋଲି ଗଣନା କରାଯାଉଛି ।

ସେପଟେ ପ୍ରଥମ ଥର ପାଇଁ ଜୁନିୟର କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପହଂଚିଛି ବାଂଲାଦେଶ । ତେଣୁ ବାଂଲାଦେଶ ଏଥର ଭାରତକୁ ଚକମା ଦେଇ ଆଇସିସିର କୌଣସି ବଡ ଟାଇଟଲ ଜିତିବାକୁ ଉଦ୍ୟମ କରିବ । ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ ମସିହାରେ ଭାରତ ଜିତିଥିଲା ୧୯ ବର୍ଷରୁ କମ୍ ବିଶ୍ୱକପ୍ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏଥର ପଂଚମ ବିଶ୍ୱକପ୍ ଦଖଲ କରିବା ଯୋଜନା କରିବ ।

ଭାରତ ପକ୍ଷରୁ ଓପନର ଯଶସ୍ୱୀ ଜୟସ୍ୱାଲ, ଦିବ୍ୟାଂଶ ସକ୍ସେନା ଓ କ୍ୟାପଟେନ୍ ପ୍ରିୟମ୍ ଗର୍ଗ ଭଲ ଫର୍ମରେ ଅଛନ୍ତି । ସୁଶାନ୍ତ ମିଶ୍ର, କାର୍ତିକ୍ ତ୍ୟାଗୀ ଓ ଆକାଶ ସିଂଙ୍କ ପେସ୍ ବୋଲିଂ ଏବଂ ରବି ବିଷ୍ଣୋୟୀଙ୍କ ସ୍ପିନ ବୋଲିଂକୁ ନେଇ ଭାରତୀୟ ଦଳର ବୋଲିଂ ବି ଶକ୍ତିଶାଳୀ ରହିଛି । ତେଣୁ ବାଂଲାଦେଶ ବିପକ୍ଷରେ ଭାରତ ଆଉ ଏକ ରୋମାଂଚକର ବିଜୟ ସହ ପଂଚମ ବିଶ୍ୱକପ୍ ଦଖଲ କରିବା ନେଇ ପଡିଆକୁ ଓହ୍ଲାଇବ ।

Related Posts