ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ; ତାରିଖ ଘୋଷଣା ପରେ କହିଲେ ମୋଦୀ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ସାଧାରଣ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆସିଛି । ନିର୍ବାଚନ କମିଶନର ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ବିଜେପି-ଏନଡିଏ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦଶ ବର୍ଷ ପୂର୍ବେ ଆମେ କ୍ଷମତା ଗ୍ରହଣ କରିବା ପୂର୍ବରୁ, ଇଣ୍ଡିଆ ମେଣ୍ଟ ଦୟନୀୟ ଭାବରେ ଶାସନ କରୁଥିଲା । ଯେଉଁଥିପାଇଁ ଭାରତର କୋଟି କୋଟି ଲୋକ ବହୁ କଷ୍ଟରେ ଜୀବନଯାପନ କରୁଥିଲେ । ସବୁ କ୍ଷେତ୍ରରେ ଦୁର୍ନୀତି ଶୀର୍ଷରେ । ଯାହାକୁ ନେଇ ଲୋକେ ଅସହାୟ ହୋଇପଡିଥିଲେ । ଏପରି ସମୟ ଆସିଥିଲା ପୁରା ବିଶ୍ଵ ଭାରତର ହାତ ଛାଡି ଦେଇଥିଲା । ସେବେଠାରୁ ଆଜି ଭିତରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି ।

୧୪୦ କୋଟି ଭାରତୀୟଙ୍କ ଶକ୍ତି ହେତୁ ଆମ ଦେଶ ବିକାଶର ନୂଆ ରେକର୍ଡ ସୃଷ୍ଟି କରୁଛି। ଆମେ ଦୁନିଆର ପଞ୍ଜମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛୁ । କୋଟି କୋଟି ଲୋକ ଦାରିଦ୍ର୍ୟତାରୁ ବାହାରି ଆସିଛନ୍ତି । ଆମର ଯୋଜନା ଭାରତର ସମସ୍ତ ଅଞ୍ଚଳରେ ପହଞ୍ଚିଛି ଏବଂ ଭଲ ଫଳାଫଳ ମଧ୍ୟ ଦେଇଛି । ଏକ ଶକ୍ତିଶାଳୀ, କେନ୍ଦ୍ର ସରକାର କ’ଣ କରିପାରିବେ ତାହା ଭାରତର ଲୋକମାନେ ଏବେ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକମାନେ ଏହାଠାରୁ ଆହୁରି ଅଧିକ ଚାହାଁନ୍ତି । ସେଥିପାଇଁ ଭାରତର କୋଣ ଅନୁକୋଣରୁ ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଗୋଟିଏ ସ୍ୱରରେ କହୁଛନ୍ତି – ‘ଅବ୍ କି ବାର, ୪୦୦ ପାର’ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ତୃତୀୟ କାର୍ଯ୍ୟକାଳରେ ଅନେକ କାମ ବାକି ଅଛି । ଯେଉଁମାନେ ଗତ ପୂର୍ବରୁ ଶାସନ କରିଥିଲେ ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆମେ ପୂରଣ କରିବୁ । ଆମର ଦୃଢ ବିଶ୍ଵାସ ରହିଛି ଯେ, ଭାରତ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବ । ଦାରିଦ୍ର୍ୟ ଏବଂ ଦୁର୍ନୀତି ବିରୋଧରେ ଲଢେଇ ଆହୁରି ଦ୍ରୁତ ଗତିରେ ଚାଲିବ । ସାମାଜିକ ନ୍ୟାୟ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଆମେ ଭାରତକୁ ତୃତୀୟ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ ଯାଉଛୁ । ଯୁବବର୍ଗଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଆମର ପ୍ରୟାସକୁ ଆହୁରି ଦୃଢ କରିବାକୁ ଯାଉଛୁ ବୋଲି କହିଛନ୍ତି ମୋଦୀ ।

Related Posts