ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନାଗରିତ୍ୱକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଆଲାହାବାଦ ହାଇକୋର୍ଟ । ତେବେ ରାହୁଲ ଗାନ୍ଧୀ ଜଣେ ବିଦେଶୀ ନାଗରିକ କି ନୁହେଁ, ସେଥିପାଇଁ ଏକ ନିରପେକ୍ଷ ତଦନ୍ତ ଆବଶ୍ୟକତା ରହିଛି ବୋଲି ଶୁକ୍ରବାର ଆଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିଜେ ଏହି ଏହି ମାମଲାର ତଦନ୍ତ କରିବାକୁ କିମ୍ବା ମାମଲାଟିକୁ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି କର୍ମୀ ଏସ୍. ବିଘ୍ନେଶ ଶିଶିରଙ୍କ ଦ୍ୱାରା ଆଗତ ଏହି ଆବେଦନଟି ପୂର୍ବରୁ ଏକ ନିମ୍ନ ଅଦାଲତରେ ଖାରଜ ହୋଇଯାଇଥିଲା। ଗତ ଜାନୁଆରୀ ୨୮ ତାରିଖରେ ଲକ୍ଷ୍ନୌର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ନାଗରିକତ୍ୱ ସମ୍ବନ୍ଧୀୟ ପ୍ରସଙ୍ଗ ନିଜର କ୍ଷମତା ବାହାରେ ବୋଲି କହି ଏଫ୍ଆଇଆର୍ ପଞ୍ଜିକରଣ ପାଇଁ ମନା କରିଦେଇଥିଲେ। ମାତ୍ର ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି ଯେ, ତାଙ୍କ ନିକଟରେ ବ୍ରିଟିଶ ସରକାରଙ୍କର କିଛି ଅତି ଗୋପନୀୟ ଦଲିଲ ଓ ଇମେଲ୍ ରହିଛି ଯାହା ପ୍ରମାଣ କରୁଛି ଯେ ରାହୁଲ ଗାନ୍ଧୀ ବାସ୍ତବରେ ଜଣେ ବ୍ରିଟିଶ ନାଗରିକ। ଯଦି ଏହି ସ୍ପର୍ଶକାତର ଅଭିଯୋଗ ପ୍ରମାଣିତ ହୁଏ, ତେବେ ରାହୁଲଙ୍କ ସାଂସଦ ପଦ ତଥା ନିର୍ବାଚନ ଲଢ଼ିବାର ଯୋଗ୍ୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବ। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା, ସରକାରୀ ଗୋପନୀୟତା ଆଇନ, ବିଦେଶୀ ନାଗରିକ ଆଇନ ଓ ପାସପୋର୍ଟ ଆଇନର ବିଭିନ୍ନ କଠୋର ଧାରା ଅନୁଯାୟୀ ତଦନ୍ତ କରିବାକୁ ଆବେଦନ କରାଯାଇଛି। ପୂର୍ବରୁ ଏହି ଘଟଣାର ଶୁଣାଣି ରାୟବରେଲି କୋର୍ଟରେ ଚାଲିଥିବା ବେଳେ ଡିସେମ୍ବର ୨୦୨୫ରେ ଏହାକୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଥିଲା।
