ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ଓ ‘ଭାରତ ଯୋଡ ଯାତ୍ରା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟ ବନ୍ଦ କରିବା ପାଇଁ ବେଙ୍ଗାଲୁର ଏକ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଆକାଉଣ୍ଟ ତୁରନ୍ତ ଅଚଳ କରିବା ପାଇଁ କୋର୍ଟ ଟ୍ବିଟରକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଏମଆରଟି ମ୍ୟୁଜିକ (MRT Music) ନାମକ ଏକ ସଂସ୍ଥା କଂଗ୍ରେସ ଦଳ ଦ୍ବାରା କପି ରାଇଟ ଉଲଙ୍ଘନ ହୋଇଥିବା ନେଇ ଏକ ମାମଲା ଦାଏର କରିଥିଲା । କଂଗ୍ରେସ ପାର୍ଟି ଏହି କମ୍ପାନୀ ଦ୍ବାରା କ୍ରୟ କରାଯାଇଥିବା ଏକ ସୁପରହିଟ ମୁଭିର ସଙ୍ଗୀତର ହିନ୍ଦୀ ଭର୍ସନର ଗୀତ ବ୍ୟବହାର କରି ଭିଡିଓ ପ୍ରସ୍ତୁତ କରୁଥିବା ସମ୍ପୃକ୍ତ ସଂସ୍ଥା ମାମଲାରେ ଦର୍ଶାଇଥିଲା । ଶେଷରେ ଟ୍ବିଟର ଆକାଉଣ୍ଟ ବନ୍ଦ କରିବା ପାଇଁ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଏମଆରଟି ମ୍ୟୁଜିକ ଦ୍ବାରା କାରଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କେଜିଏଫ-୨ର ସାଉଣ୍ଡ ରେକର୍ଡ ଭାରତ ଯୋଡ ଯାତ୍ରାର ଅନେକ କିଛି ଭିଡିଓରେ ବ୍ୟବହାର କାରଯାଇଛି । ଏହା ବିରୋଧରେ ସଂସ୍ଥା କଂଗ୍ରେସ ନେତା ତଥା ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ, ଦଳର ବରିଷ୍ଠ ନେତା ଜୟରାମ ରମେଶ ଏବଂ ଅନ୍ୟ କିଛି ନେତାଙ୍କ ବିରୋଧରେ ବେଙ୍ଗାଲୁରୁର ୟଶୱନ୍ତପୁର ପୋଲିସ ଷ୍ଟେସନରେ ଏତଲା ଦାଏର କରିଥିଲା । ସୋମବାର ବେଙ୍ଗାଲୁରୁର ଏକ ସ୍ଥାନୀୟ କୋର୍ଟ ଏହି ମାମଲାର ଶୁଣାଣି କରି ଦଳର ଦୁଇଟି ଟ୍ବିଟର ଆକାଉଣ୍ଟ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦଳ କହିଛି, କୋର୍ଟର ନିର୍ଦ୍ଦେଶ ସମ୍ପର୍କରେ ଗଣମାଧ୍ୟମରୁ ସୂଚନା ମିଳିଛି । କାର୍ଯ୍ୟାନୁଷ୍ଠାନ ନେଇ ଆମକୁ କେହି ଔପଚାରିକ ଭାବେ ଅବଗତ କରିନାହାନ୍ତି, କିମ୍ବା କୋର୍ଟଙ୍କ ନିର୍ଦ୍ଦେଶର କୌଣସି କପି ମଧ୍ୟ ଆମର ହସ୍ତଗତ ହୋଇନାହିଁ । ଏହି ପ୍ରସଙ୍ଗରେ ଆମେ ଆଇନଗତ ବିଚାର ବିମର୍ଷ ଜାରି ରଖିଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।