ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ: ଓପିଏସସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ଓ ଅନିୟମିତତା ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏନେଇ ଏଏସ୍ଓ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ପରୀକ୍ଷା ଫଳରେ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଓପିଏସସି ।

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରେସନୋଟ ଜରିଆରେ ପରୀକ୍ଷାର୍ଥୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି।ଓପିଏସସି ଏନେଇ ସଫେଇ ଦେଇ କହିଛି ଯେ, ‘ଓପିଏସସିର ନିୟମାନୁସାରେ ଚୂଡ଼ାନ୍ତ ପରୀକ୍ଷାଫଳ ଆସିବା ପରେ କଟଅଫ୍ ମାର୍କ ପ୍ରକାଶ ହେବ । ଉତ୍ତର, କଟଅଫ୍ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡାନ୍ତ ରେଜଲ୍ଟ ପରେ ଆସିବ । କିଛି ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଅନୁପସ୍ଥିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା।’

ତେବେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି । ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି । ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଆଜି ପୂର୍ବାହ୍ନରେ ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ ଓପିଏସସିର କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ । ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ପରୀକ୍ଷାର୍ଥୀଙ୍କର ଧାରଣା ଦେଇଥିବାରୁ ଘଟଣାସ୍ଥଳକୁ ପୋଲିସ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ ।

Related Posts