ଏଏସଓ ପରୀକ୍ଷାରେ କୌଣସି ଅନିୟମିତତା ହୋଇନାହିଁ: ଓପିଏସସି ଅଧ୍ୟକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଏସଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ ସୂଚନା ଦେଇ କହିଛନ୍ତି ଯେ, ଚଳିତବର୍ଷ ସମ୍ପୂର୍ଣ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇ ନାହିଁ । ତେଣୁ ଏହାକୁ ନେଇ ଅପପ୍ରଚାର କରିବା ସୋସିଆଲ ମିଡିଆରେ ଏପଟ ସେପଟ ପୋଷ୍ଟ କରିବା ଆଦୌ ଠିକ ନୁହେଁ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତିି ଯେ, ଆସିଥିବା ପ୍ରତ୍ୟେକ ଅଭିଯୋଗର ଅନୁଧ୍ୟାନ କରାଯିବ । ଯଦି ସେମାନଙ୍କର ଅଭିଯୋଗରେ ସତ୍ୟାସତ ବାହାରିଲା ତେବେ ଆମେ ନିଶ୍ଚଯ ଏହାକୁ ନେଇ ପଦକ୍ଷେପ ନେବୁ ।ଏହା ସହିତ ସେ କହିଛନ୍ତି ଯେ, ଚଳିତ ବର୍ଷ ପରୀକ୍ଷା ପାଇଁ ୨ଲକ୍ଷରୁ ଅଧିକ ପ୍ରାର୍ଥୀ ନାମ ଦାଖଲ କରିଥିଲେ । ଏହା ଭିତରୁ ପ୍ରାୟ ୧ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦ ପ୍ରତିଶତ ଏବଂ ଏସିବିସି, ଏସି, ଏସଟି ବର୍ଗ ପାଇଁ ୩୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ ଭାବୁଥିଲେ ଆମେ ଭଲ ନମ୍ବର ରଖିଛୁ ବାସ୍ତବରେ ସେମାନେ କ୍ୱାଲିଫାଏ କରି ନଥିବେ । କୌଣସି ଗୋଟିଏ ବିଷୟରେ ଧାର୍ଯ୍ୟ ମାର୍କ ନ ରଖିଥିଲେ କ୍ୱାଲିଫାଏ କରି ନଥିବେ ଛାତ୍ରଛାତ୍ରୀ । ଫାଇନାଲ ରେଜଲ୍ଟ କୁ ଅପେକ୍ଷା କରନ୍ତୁ, ରେଜଲ୍ଟ ଆସିବା ପୂର୍ବରୁ ଏଭଳି ଅଭିଯୋଗ ବିଭ୍ରାନ୍ତି ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ରେଜଲ୍ଟ ଆସିବା ପରେ ଯଦି ସେଭଳି ଅନିୟମିତତା ଅଭିଯୋଗ ଆସେ ତେବେ ତ୍ରୁଟି ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।

ଏହାସହ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲା ତାହା ହିସାବରେ ଆମେ କାମ କରିବୁ । ୨୦୨୨ ହିସାବରେ ଆମେ ପ୍ରଥମେ ରେଜଲ୍ଟ ପ୍ରକାଶ କରୁଥିଲୁ । କିନ୍ତୁ ୨୦୧୬ ହିସାବରେ କରିବାକୁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ । ଏହା ସହ ସତ୍ୟଜିତ ମହାନ୍ତ କହିଛନ୍ତି ଯେ ଆମେ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ରେଜଲ୍ଟ ପ୍ରକାଶ କରିବୁ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଧାରଣା ମଧ୍ୟ ଦେଇଥିଲେ ଓ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Related Posts