ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପିଜି ନାମଲେଖାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଜଣେ ଆଶାୟୀ ଛାତ୍ରୀ ଏଭଳି ସଙ୍ଗିନ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି। କଟକ ମାଲଗୋଦାମ ଥାନାରେ ଏ ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ହେରଫେର ଘଟଣା ଜଣାପଡ଼ିବା ପରେ ରେଭେନ୍ସାରେ ନାମ ଲେଖାଇବାକୁ ଆଶାୟୀ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ଅନ୍ୟପଟେ ଏହି ଘଟଣାରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପଦବିରୁ ଡକ୍ଟର ନେତାଜୀ ଅଭିନନ୍ଦନ ଇସ୍ତଫା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରେଭେନ୍ସା ବିଶ୍ବବିଦ୍ୟାଳୟରେ ସ୍ପଟ୍ ମେରିଟ୍ ଲିଷ୍ଟରେ ଶୁଭଶ୍ରୀ ପଣ୍ଡା ନାମକ ଜଣେ ଛାତ୍ରୀ ୨୦ ନମ୍ବର ରାଙ୍କରେ ଥିଲେ। ତେଣୁ, ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପଢ଼ିବାପାଇଁ ଥିବା ଏକ ସିଟ୍ ପାଇଁ ଦାବିଦାର ହୋଇଥିଲେ। କିନ୍ତୁ, ରେଭେନ୍ସା କର୍ତ୍ତୃପକ୍ଷ ଏଥିରେ ହେରଫେର କରି ଶୁଭଶ୍ରୀଙ୍କଠାରୁ କମ୍ ରାଙ୍କରେ ଥିବା ଜଣେ ଆଶାୟୀଙ୍କୁ ଏହି ସିଟ୍ ପାଇଁ ନାମଲେଖାର ସୁଯୋଗ ଦେଇଛନ୍ତି। ଏଭଳି ବେଆଇନ କାମକୁ ବିରୋଧ କରି ଶୁଭଶ୍ରୀ ପିଜି ଆଡ୍ମିସନ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଳପତିଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ, କୁଳପତି ଅନୁପସ୍ଥିତ ଥିବାରୁ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସିଧାସଳଖ ପିଜି କାଉନସିଲ ଅଧ୍ୟକ୍ଷାଙ୍କ ବିରୋଧରେ ସେ ଅଭିଯୋଗ କରିଛନ୍ତି। ଏହାସହିତ ମାଲଗୋଦାମ ଥାନାରେ ସେ ଏକ ଏତଲାରେ ଦେଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟେ ଅଧିକ ନମ୍ବର ରଖିଥିବା ଆଶାୟୀଙ୍କୁ ବାଦ୍ ଦେଇ ତଳ ରାଙ୍କର ଆଶାୟୀଙ୍କ ନାମଲେଖାକୁ ବୈଧ କରିବାକୁ ଉପରୁ ଚାପ ପଡ଼ିବା ଘଟଣାକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ନେତାଜୀ ଅଭିନନ୍ଦନ ବିରୋଧ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଶେଷରେ ଡକ୍ଟର ଅଭିନନ୍ଦନ ବିଭାଗୀୟ ମୁଖ୍ୟ ପଦବିରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ଡକ୍ଟର ଅଭିନନ୍ଦନ ନାମଲେଖା ପ୍ରକ୍ରିୟାରେ ଜଣେ ଆଶାୟୀଙ୍କ ପାଇଁ କିଭଳି ନିୟମକାନୁନକୁ ଜଳାଞ୍ଜଳି ଦିଆଯାଇଛି, ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
