ରାଉରକେଲା: ଇସ୍ପାତ ସହର ରାଉରକେଲାରେ ବଢ଼ୁଛି ଦେଶୀ ଓ ନକଲି ବିଦେଶୀ ମଦ ବେପାର । ଚୋରାରେ ଆଣି ଢ଼ାବାରେ ବିକ୍ରି କରୁଛନ୍ତି ବେପାରୀ । ଆଜି ଅବକାରୀ ପୁଲିସ ଚଢ଼ଉକରି ୩୬.୭୦୦ ଲିଟର ବିଦେଶୀ ନକଲି ମଦ ଜବତ କରିଛି। ଏହାସହ ଦୁଇ ଅଭିଯୁକ୍ତ ଶିବ ଶଙ୍କର ସାହୁ ଓ ମୁକେଶ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ଏକ ସ୍କୁଟି(ଓଡି-୧୪-ଜି-୦୨୮୦) ମଧ୍ୟ ଜବତ ହୋଇଛି।

ବେଦବ୍ୟାସ ବରଟୋଲାରେ ଶଙ୍କର ଢ଼ାବା ରହିଛି। ଅଭିଯୁକ୍ତମାନେ ରାଉରକେଲା ଉପକଣ୍ଠ ଫର୍ଟିଲାଇଜର, ବନ୍ଧମୁଣ୍ଡା ଅଞ୍ଚଳରେ ତିଆରି ହେଉଥିବା ନକଲି ବିଦେଶୀ ମଦକୁ ଆଣି ଢ଼ାବାରେ ବିକ୍ରି କରୁଥିଲେ। ଏମିତିକି ଏମାନେ ଝଡ଼ଖଣ୍ଡରୁ ଆସୁଥିବା ନକଲି ମଦ ମଧ୍ୟ ବିକ୍ରି କରୁଥିଲେ। ଏନେଇ ସୂଚନା ପାଇ ଆଜି ରାଉରକେଲା ଅବକାରୀ ଏସ୍‌ପିଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅତର୍କିତ ଚଢ଼ଉ କରାଯାଇଥିଲା। ଦୁଇ ଅଭିଯୁକ୍ତ ଗ୍ରାହକଙ୍କୁ ମଦ ବିକ୍ରି କରୁଥିବାବେଳେ ସେମାନଙ୍କୁ କାବୁ କରିନେଇଥିଲେ। ଚଢ଼ଉବେଳେ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ଏଏସ୍‌ଆଇ ସ୍ମିତା କେର୍କେଟା, କନଷ୍ଟେବଲ ସପନ ସାହୁ, ନବୀନ ଭୂୟାଁ, ସୂର୍ଯ୍ୟକାନ୍ତ ସ୍ବାଇଁ, ଶ୍ରୀନିବାସ ବିଶୋୟୀଙ୍କ ସମେତ ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ ।